ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପାଷ୍ଟିକୁଡ଼ି ନିକଟରେ ଆଜି ସକାରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ପରେ ଲାଗିଗଲା ନିଆଁ । ଏଥିରେ ଜଣେ ଟ୍ରକ ଡ୍ରାଇଭର ଜୀବନ୍ତ ଜଳି ଯାଇଛନ୍ତି । ଅନ୍ୟ ଟ୍ରକର ଡ୍ରାଇଭରଙ୍କ କୌଣସି ସନ୍ଧାନ ମିଳୁନାହିଁ ।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋରରୁ ପାଷ୍ଟିକୁଡ଼ି ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସହ ଅନ୍ୟ ଏକ ଟ୍ରକ୍ ମୁହାଁମୁହିଁ ହୋଇଥିଲା । ଧକ୍କା ଏତେ ଜୋର ଥିଲା ଯେ, ଦୁଇଟି ଟ୍ରକ୍ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ସେତେବେଳକୁ ଦୁଇଟି ଟ୍ରକ୍କୁ ନିଆଁ ବ୍ୟାପୀ ଯାଇଥିବା ବେଳେ ଗୋଟିଏ ଟ୍ରକ ଭିତରେ ଡ୍ରାଇଭର ଜୀବନ୍ତ ଜଳିଯାଇଥିଲେ । ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି ।