ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ । ଆସନ୍ତାକାଲି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ଆସିବା ଆଗରୁ ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ଏ ନେଇ ସୂଚନା ଦେଇଛନ୍ତି । ଏପଟେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମୈଦାନ ପ୍ରସ୍ତୁତ ହୋଇ ରହିଛି । ରାଜଧାନୀରେ ଭିଭିଆଇପିଙ୍କ ଭିଡ଼ ଜମିଲାଣି । ପ୍ରାୟ ୭୦ରୁ ଅଧିକ ଦେଶରୁ ଭୁବନେଶ୍ୱରକୁ ଛୁଟି ଆସିଛନ୍ତି ମୂଳ ଭାରତୀୟ ନାଗରିକ ।
ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ସେମାନଙ୍କ ମନୋରଞ୍ଜନ ନିମନ୍ତେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ଭିନ୍ନ ଭିନ୍ନ ଇଭେଣ୍ଟର ଆୟୋଜନ ହୋଇଛି । ସବୁରି ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି ଆଉ ପରମ୍ପରା ପ୍ରସାର କରିବା ହେଉଛି ମୂଳ ଉଦ୍ଦେଶ୍ୟ ।
ଏକାମ୍ର ପାର୍କରେ ଆୟୋଜନ ହୋଇଛି ୫ ଦିନିଆ ପୁଷ୍ପ ପ୍ରଦର୍ଶନୀ । ଭଳିକି ଭଳି ଫୁଲର ସମ୍ଭାର ସହ ପ୍ରବାସୀଙ୍କୁ ଆକର୍ଷଣ କରିବ କାକଟସ ହାଉସ । ସେପଟେ ରାଜଧାନୀରେ ଆରମ୍ଭ ହୋଇଛି ପାର୍କ ଫେଷ୍ଟିଭାଲ । ବିଭିନ୍ନ ପାର୍କରେ ମ୍ୟୁଜିକ ଫାଉଣ୍ଟେନ୍ ଏବଂ ଲେଜର ଶୋ ଜରିଆରେ ରାଜ୍ୟର କଳା ସାହିତ୍ୟ ସଂସ୍କୃତି, ପରମ୍ପରା ଆଦି ପ୍ରଦର୍ଶିତ ହେଉଛି ।
ରାଜ୍ୟ ସଂଗ୍ରହାଳୟ ମଧ୍ୟ ରାତି ୯ଟା ଯାଏଁ ଖୋଲି ରହିବ । ପ୍ରବାସୀଙ୍କ ପାଇଁ ସଂଗ୍ରହାଳୟରେ ଆଉ ୯ଟି ଗ୍ୟାଲେରୀର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ରହିଛି ଓଡ଼ିଶାର ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀବିଜ୍ଞାନ, ଖଣି ଓ ଭୂତତ୍ତ୍ୱ, କଣ୍ଢେଇ, ଓଡିଶା ଜନଜାତି ଏବଂ ହସ୍ତତନ୍ତ ଗ୍ୟାଲେରୀ । ଏଣେ ପ୍ରବାସୀ ଭାରତୀୟଙ୍କ ପାଇଁ ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ୫ଟି ଡବଲ ଡେକର ବସ, ୧୦ଟି ହଫ୍ ଅନ୍ ହଫ ଅଫ୍ ବସ୍ ଓ ୨୫ଟି ଶ୍ରୀମନ୍ଦିର ପ୍ରଶାସନର ବସ୍ ଚାଲିବ । ସେପଟେ ୧୧ ତାରିଖ ଯାଏଁ ରାଜାରାଣୀ ମନ୍ଦିରଠାରେ ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ମନ୍ଦିରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ୨୦୨୫ ଓ ରାଜ୍ୟ ସଂଗ୍ରହାଳୟରେ ଲୋକନୃତ୍ୟ ଉତ୍ସବର ଆୟୋଜନ କରାଯାଇଛି । ଅନ୍ୟପଟେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଦେବ ପ୍ରବାସୀଙ୍କୁ ରାଜ୍ୟ ଏବଂ ଦେଶର ଜନଜାତି କଳା ସଂସ୍କୃତିର ଜ୍ଞାନ ।