ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦଯାପନ, ସାମିଲ ହେବେ ମହାମହିମ ରାଷ୍ଟ୍ରପତି


ଭୁବନେଶ୍ବର: ଆଜି ଉଦଯାପତି ହେବ ପ୍ରବାସୀ ଭାରତୀୟ ସମ୍ମେଳନ । ଏଥିରେ ସାମିଲ ହେବା ଲାଗି ଓଡ଼ିଶା ଗସ୍ତରେ ଅଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଅପରାହ୍ନରେ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ସମାପନ ସମାରୋହ ତଥା ପୁରସ୍କାର ପ୍ରଦାନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି । ଏହି ଅବସରରେ ସେ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା ସରିଛି । ଏହାପରେ ସେ ନୂଆଦିଲ୍ଲୀ ଫେରିଯିବେ । ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ ।

ସୂଚନାଯୋଗ୍ୟ, ୩ ଦିନିଆ ସମାରୋହକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଜନତା ମଇଦାନରେ ଆୟୋଜିତ ଏହି ସମାରୋହରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଗତ ତିନି ଦିନ ଧରି ସାରା ବିଶ୍ୱରୁ ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରକୁ ଆସି ଓଡ଼ିଶାର କଳା ସାହିତ୍ୟ, ସଂସ୍କୃତି ଓ ଖାଦ୍ୟ ପାନୀୟକୁ ପରଖିଛନ୍ତି । ଏହାସହ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଥିବା ପର୍ଯ୍ୟଟନ ସ୍ଥଳି ବୁଲି ନିଜ ଖୁସି ବ୍ୟକ୍ତି କରିଛନ୍ତି ।