ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ପୁଣି ‘ନା’


ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ପୂର୍ବରୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରିଥିଲେ ସର୍ବୋଚ୍ଚ କୋର୍ଟ । ଏହାକୁ ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି ।

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ । ସେହି ସମୟରେ ସୁପ୍ରିମକୋର୍ଟ ଐତିହାସିକ ରାୟରେ କହିଥିଲେ ଯେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ । ଆଜି ସର୍ବୋଚ୍ଚ ଅଦାଲତ ପୁରୁଣା କଥାକୁ ଦୋହରାଇବା ସହ ପୂର୍ବ ରାୟରେ କୌଣସି ତ୍ରୁଟି ନଥିବା କହିଛନ୍ତି । ପୂର୍ବ ରାୟରେ ଦିଆଯାଇଥିବା ମତ ଆଇନ ଆଧାରରେ କରାଯାଇଥିଲା । ତେଣୁ ଆଉ ସେଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ । ଏହାର ଅର୍ଥ ରାୟକୁ ସୀମକ୍ଷା କରିବା ପାଇଁ ହୋଇଥିବା ସମସ୍ତ ରିଭ୍ୟୁ ପିଟିସନକୁ ଖାରଜ କରାଯାଉଛି ।

ଆଜି ଜଷ୍ଟିସ ବିଆର ଗବାଇ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ବିଭି ନାଗରତ୍ନା, ଜଷ୍ଟିସ ପିଏସ୍‌ ନରସୀମା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଚ୍ୟାମ୍ବର ମଧ୍ୟରେ ରିଭ୍ୟୁ ପିଟିସନ ଗୁଡ଼ିକୁ ଯାଞ୍ଚ କରିଥିଲେ । ଏହାର ଓପନ କୋର୍ଟ ଶୁଣାଣିର ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ ରାୟ ରଖିଛନ୍ତି । ଗତବର୍ଷ ଜୁଲାଇ ମାସରେ ଆବେଦନକାରୀ ରିଭ୍ୟୁ ପିଟିସନର ଶୁଣାଣି ଓପନ କୋର୍ଟ ରୁମରେ କରିବାକୁ ନିବେଦନ କରିଥିଲେ ।