ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତଥା ବୀରମହାରାଜପୁର ଥାନା ଧର୍ମଶାଳା – ଲେହେଡି ରାସ୍ତାରେ କିଓସ୍କ ବ୍ୟାଙ୍କ ମାଲିକଙ୍କୁ ଲହୁଲୁହାଣ କରି ବନ୍ଧୁକ ମୁନରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ଡକାୟତଙ୍କ ମାଡରେ ଲେହିଡି ଗ୍ରାମର କିଓସ୍କ ବ୍ୟାଙ୍କ ମାଲିକ ନୀଳାମ୍ବର ମହାପାତ୍ର ଗୁରୁତର ଆହତ ହୋଇଥିବା ବେଳେ ପ୍ରାୟ ଦେଢ ଲକ୍ଷରୁ ଅଧିକ ଟଙ୍କା ନେଇ ଡକାୟତ ଦଳ ଫେରାର ମାରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ନୀଳାମ୍ବର ଧର୍ମଶାଳା ଛକରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିନରେ ଏକ କିଓସ୍କ ବ୍ୟାଙ୍କ ଖୋଲିଛନ୍ତି । ବୁଧବାର ସନ୍ଧ୍ୟା ପ୍ରାୟ ୬.୩୦ରେ କିଓସ୍କ ବ୍ୟାଙ୍କ ବନ୍ଦ କରି ପ୍ରାୟ ଦେଢ ଲକ୍ଷରୁ ଅଧିକ ଟଙ୍କା ନେଇ ନିଜ ବାଇକ ଯୋଗେ ଘରକୁ ଫେରୁଥିଲେ । ନୀଳାମ୍ବର କିଛି ଦୂର ଆସିବା ପରେ ରାସ୍ତା ପାର୍ଶ୍ଵରେ ପୂର୍ବରୁ ଲୁଚି ରହିଥିବା ୩ ଜଣ ଡକାୟତ ହଠାତ ରାସ୍ତା ଉପରକୁ ଆସି ନୀଳାମ୍ବରଙ୍କୁ ଅଟକାଇ ଥିଲେ । ଜଣେ ଡକାୟତ ହାତରେ ବନ୍ଧୁକ ଧରି ନୀଳାମ୍ବରଙ୍କୁ ଭୟଭୀତ କରିବା ସହ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ । ଫଳରେ ନୀଳାମ୍ବର ଏବଂ ଡକାୟତ ଦଳ ମଧ୍ୟରେ ମାରପିଟ ହୋଇଥିଲା । ଡକାୟତଙ୍କ ମାଡରେ ନୀଳାମ୍ବରଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଛି । ଅନ୍ୟପଟେ ମାରପିଟ ବେଳେ ଜଣେ ଡକାୟତର ହାତରୁ ବନ୍ଧୁକ ତଳେ ଖସି ପଡିଥିଲା । ଫଳରେ ବନ୍ଧୁକର ଏକ ଅଫୁଟା ଗୁଳି ଘଟଣାସ୍ଥଳରେ ପଡି ଯାଇଥିଲା । ତେବେ ନୀଳାମ୍ବରଙ୍କୁ ମାଡ ମାରି ଲହୁଲୁହାଣ କଲା ପରେ ଦେଢ ଲକ୍ଷରୁ ଅଧିକ ଟଙ୍କା ନେଇ ଡକାୟତ ଦଳ ସେଠାରୁ ଫେରାର ମାରିଥିଲେ । ଅନ୍ୟପଟେ ଗୁରୁତର ଆହତ ଥିବା ନୀଳାମ୍ବରଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ସ୍ଥାନୀୟ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ଅଫୁଟା ଗୁଳି ଜବତ ହୋଇଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେବାପାଇଁ ପୁଲିସ ମନା କରିଛି । ତେବେ ହିକୁଡି ଫାଣ୍ଡିର ଅତି ନିକଟରେ ଏଭଳି ଏକ ଘଟଣା ଘଟିଥିବା ବେଳେ ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ପାଲଟିଛି ।