Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବହେଳିତ ଅବସ୍ଥାରେ ପଡ଼ିରହିଛି କଳିଙ୍ଗା ପଥପ୍ରାନ୍ତ ସୁବିଧା କେନ୍ଦ୍ର : ମଦୁଆ ଅସାମାଜିକଙ୍କ ଆଡ୍ଡାସ୍ଥଳି ପାଲଟିଛି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ -ଗଞ୍ଜାମ ସୀମାବର୍ତ୍ତୀ ଅଞ୍ଚଳ କଳିଙ୍ଗାରେ ପର୍ଯ୍ୟଟକ ସହ ବାଟୋଇଙ୍କୁ ସୁବିଧା ଦେବା ପାଇଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ହୋଇଥିଲା ହେଲେ ଏବେ ଏହା ମଦୁଆଙ୍କ ପାଇଁ ଭୂ-ସ୍ୱର୍ଗ ପାଲଟିଛି | ଯାତ୍ରୀ ଏବଂ ଗାଡି ଚାଳକ କର୍ମଚାରୀଙ୍କ ବିଭିନ୍ନ ପ୍ରକାର ସୁବିଧା ପାଇଁ ୨୦୧୮ ମସିହାରେ ଜାତୀୟ ରାଜପଥ କଡରେ କଳିଙ୍ଗା ପୂର୍ତ୍ତି ବିଭାଗ ଡାକ ବଙ୍ଗଳା ପାର୍ଶ୍ଵରେ ଖୋଲାଯାଇ ଥିଲା ପଥପ୍ରାନ୍ତ ସୁବିଧା କେନ୍ଦ୍ର। ଏହାକୁ ତତକାଳୀନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିବା ବେଳେ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ରାସ୍ତାରେ ଯାତାୟତ କରୁଥିବା ପର୍ଯ୍ୟଟକ ବସ ,ଟ୍ରକର କର୍ମଚାରୀଙ୍କ ସମେତ ଯାତ୍ରୀଙ୍କ ବହୁକାମରେ ଆସୁଥିଲା। ସମସ୍ତଙ୍କ ନିମନ୍ତେ ବିଶ୍ରାମ ହେଉ, କିମ୍ୱା ସୁରକ୍ଷା ହେଉ, ଖାଇବା ହେଉ କିମ୍ବା ରାତ୍ରିଯାପନ ହେଉ ଏଠାରେ ଦୁଇ ଚକିଆ, ଚାରି ଚକିଆ ଗାଡିରେ ଯିବା ଆସିବା କରୁଥିବା ଯାତ୍ରୀମାନେ ନିର୍ଭୟରେ ରହୁଥିଲେ। ୨୪ ଘଣ୍ଟିଆ ସେବା ମଧ୍ଯ ଦେଉଥିଲେ ଏହି କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନେ। କିନ୍ତୁ ଏବେ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଦୀର୍ଘ ବର୍ଷ ହେଲା ବନ୍ଦ ରହିବା ଫଳରେ ଯାତ୍ରୀ, ପଯ୍ଯଟକ ମାନେ ନାନା ସମସ୍ଯା ର ସମ୍ମୁଖିନ ହେଉଛନ୍ତି। କନ୍ଧମାଳ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଅଞ୍ଚଳ କଳିଙ୍ଗାରେ ଏହି ପଥପ୍ରାନ୍ତ ସେବାକେନ୍ଦ୍ର ପ୍ରତିଷ୍ଠା ଯୋଗୁଁ ବହୁବିଧ ସୁବିଧା ପାଉଥିଲେ ପର୍ଯ୍ୟଟକ ମାନେ। କାରଣ କନ୍ଧମାଳ ଜିଲ୍ଲା ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଏହି ଅଞ୍ଚଳକୁ ବର୍ଷ ସାରା ବହୁ ପର୍ଯ୍ୟଟକ ଆସିଥାନ୍ତି। ଏହାସହ ପର୍ଯ୍ୟଟକଙ୍କୁ ଧରି ଆସୁଥିବା ଗାଡିମାନେ ମଧ୍ୟ ଏହି ସୁବିଧା କେନ୍ଦ୍ରରୁ ଭଲ ସୁବିଧା ପାଇପାରୁଥିଲେ । ଯେତେ ସଂଖ୍ୟକ ପର୍ଯ୍ୟଟକ ଆସିଲେ ମଧ୍ୟ ଏହି ସ୍ଥାନରେ ସବୁ ପ୍ରକାର ସୁବିଧା ରହିଥିଲା। ସୁନ୍ଦର ସବୁଜ ବଗିଚା ସାଙ୍ଗକୁ ଶିଶୁ ଉଦ୍ୟାନ ସହ ଶିଶୁଙ୍କ କ୍ରୀଡା ପାଇଁ ଆନୁସାଙ୍ଗିକ ଉପକରଣ ବ୍ୟବସ୍ଥା ସମସ୍ତଙ୍କୁ ଆକର୍ଷିତ କରୁଥିଲା। ଦୀର୍ଘ ବର୍ଷ ହେଲା ବନ୍ଦ ରହିବା ଫଳରେ କୋଟି କୋଟି ଟଙ୍କାର ଭିତିଭୂମି ନଷ୍ଟ ହେବା ଆରମ୍ଭ ହେଲାଣି। ଖୋଲିବାକୁ ନେଇ ଅନିଶ୍ଚିତତା ଜାରି ରହିଥିବାବେଳେ କାମ କରୁଥିବା କର୍ମଚାରୀମାନଙ୍କ ଭବିଷ୍ଯତ କଣ ହେବ ତାହାକୁ ନେଇ ଚିନ୍ତା ବଢି ଯାଇଛି। କୌଣସି ଉପାୟ ନପାଇ ଚିନ୍ତାରେ ରହିଛନ୍ତି ସେଠାରେ ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟରତ ଥିବା କର୍ମଚାରୀ ଏବଂ ତାଙ୍କ ପରିବାର । ତେଣୁ ଯାତ୍ରୀ ମାନଙ୍କ ସୁବିଧା ସହିତ କାମ କରୁଥିବା କର୍ମଚାରୀଙ୍କ ଭବିଷ୍ଯତ, ପରିବାରକୁ ଦୃଷ୍ଟିରେ ରଖି ସରକାର ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖେଲିବାକୁ ଦାବି ହୋଇଛି।। ଦୀର୍ଘ ଛଅ ବର୍ଷ ଚାଲିବା ପରେ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଅବହେଳିତ ଅବସ୍ଥାରେ ପଡିରହିଛି । ଏଠାରେ ୬ ଜଣ କର୍ମଚାରୀ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ବର୍ତ୍ତମାନ କୌଣସି କାମ ଧନ୍ଦା ନ ପାଇ ସେମାନେ ବେକାର ହୋଇ ବୁଲୁଛନ୍ତି । ବର୍ତ୍ତମାନ ଏହା ଭିତରେ ମଦୁଆ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିବା ସଙ୍ଗେ ସଙ୍ଗେ ଅନେକ ଅସାମାଜିକ କାର୍ଯ୍ୟ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ପୂର୍ତ୍ତ ବିଭାଗର କିନ୍ତୁ ପୂର୍ତ୍ତ ବିଭାଗ ଏହା ପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଞ୍ଚଳବାସୀ କହୁଛନ୍ତି । ଏହା ପାର୍ଶ୍ଵରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କିନ୍ତୁ ସେ ଏହାକୁ ଗୁରୁତ୍ୱ ଦେଉନଥିବାରୁ ଏ ଭଳି ସବୁ ହେଉଛି ବୋଲି ଅଞ୍ଚଳବାସୀ କହୁଛନ୍ତି । ସେଠାରେ ସୋନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ଲାଇଟ୍ ଗୁଡ଼ିକ ଭାଙ୍ଗିଛି ଏବଂ ଅନେକ ଚୋରି ମଧ୍ୟ ହୋଇଛି । ଷ୍ଟିଲ ରେଲିଙ୍ଗ ମଧ୍ୟ ଭାଙ୍ଗି କେହି ନେଇ ଯାଇଛନ୍ତି | ଏମିତି ଭିତରେ ଖାଲି ଭଙ୍ଗା ମଦ ବୋତଲ ଦେଖିବାକୁ ମିଳୁଛି ଏବଂ ଗାଈ ଗୋରୁ ଚରୁଛନ୍ତି ।
ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ