ବରଗଡ଼: ଧନୁଯାତ୍ରା ସମୟରେ ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାକୁ ନେଇ ବରଗଡ଼ରେ ଚାଲିଛି ୧୨ ଘଣ୍ଟିଆ ବନ୍ଦ । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ଼ରେ ଏହି ବନ୍ଦ ପାଳନ କରାଯାଉଛି । ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି । ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।
ବନ୍ଦ ଡାକରାକୁ ବିଭିନ୍ନ ରାଜନୈତକ ତଥା ସାମାଜିକ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି । ବରଗଡ଼ ଗାନ୍ଧୀଛକ, ଭଟଲୀ ଛକ, ଡାଙ୍ଗ ଛକ ଆଦି ବିଭିନ୍ନ ଛକରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ସହ ନାରାବାଜି କରିଛନ୍ତି । ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ତୁରନ୍ତ ଗିରଫ କରୁ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି ।
ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗତକାଲି ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବରଗଡ଼ ପୋଲିସ । ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି ।