ଧାନ ଉଠାଣରେ ଗଡବଡ଼ି! ବରଗଡ଼ରେ ଧରାପଡ଼ିଲା ଛତିଶଗଡ଼ ଧାନ ବୋଝେଇ ଟ୍ରକ୍, ଫଲ୍ସ ଏଣ୍ଟ୍ରି ନେଇ ଚର୍ଚ୍ଚା
ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ଦୁଇ ସପ୍ତାହ ପୂରିଥିଲେ ମଧ୍ୟ ଧାନ ବିକ୍ରି ଓ ଉଠାଣ ପ୍ରକ୍ରିୟା ଶୀଥିଳ ହୋଇପଡ଼ିଛି। କେତେକ ମିଲର୍ସ ନିୟମିତ ଭାବେ ମଣ୍ଡିକୁ ନଆସିବାରୁ ଚାଷୀମାନେ ଅସୁବିଧାରେ ପଡ଼ୁଛନ୍ତି। ଏହା ମଧ୍ୟରେ ଭଟଲି ଅଞ୍ଚଳର ଏକ ରାଇସ୍ ମିଲ୍ରୁ ଛତିଶଗଡ଼ ଧାନ ବୋଝେଇ ଟ୍ରକ୍ ଜବତ ହେବା ଘଟଣା ଚର୍ଚ୍ଚାକୁ ବଢ଼ାଇଛି। ଜିଲା ଯୋଗାଣ ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି।
ରବିବାର ସଦର ଏସିଏସ୍ଓ ବ୍ୟୋମକେଶ ମାଝୀଙ୍କ ସହ ବିଭିନ୍ନ ଯୋଗାଣ ନିରୀକ୍ଷକ ଭଟଲି ଥାନାରେ ପହଞ୍ଚି ଜବତ ଧାନ ବୋଝେଇ ଟ୍ରକ୍କୁ ନେଇ ଛାନଭିନ୍ କରିଥିଲେ। ସୂଚନା ଅନୁଯାୟୀ, ପଡ଼ୋଶୀ ଛତିଶଗଡ଼ରୁ ଧାନ ଆଣି ବରଗଡ଼ର ବିଭିନ୍ନ ରାଇସ୍ ମିଲ୍ରେ ଗଚ୍ଛିତ ରଖି ପରେ ଫଲ୍ସ ଏଣ୍ଟ୍ରି କରାଯାଉଥିବା ଅଭିଯୋଗ ବର୍ଷରୁ ବର୍ଷ ଧରି ହୋଇଆସୁଛି। ଶନିବାର ଧରାପଡ଼ିଥିବା ଟ୍ରକ୍ଟିକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ଆଣାଯାଇଥିବା ଚର୍ଚ୍ଚା ହେଉଛି।
ତେବେ ଏପରି ଘଟଣାରେ କେବଳ ଟ୍ରକ୍ ଜବତରେ କାର୍ଯ୍ୟାନୁଷ୍ଠାନ ସୀମିତ ରହୁଥିବାରୁ ଛତିଶଗଡ଼ ଧାନ ପ୍ରବେଶରେ ଅଙ୍କୁଶ ଲାଗିପାରୁନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ପଦ୍ମପୁର ଓ ବରପାଲି ଅଞ୍ଚଳରୁ ଏଭଳି ଧାନ ବୋଝେଇ ଗାଡ଼ି ଜବତ ହୋଇଥିଲା। ଏବେ ଏହି ଘଟଣାରେ ଜିଲା ପ୍ରଶାସନ କିପରି କଠୋର ପଦକ୍ଷେପ ନେଉଛି, ତାହା ଉପରେ ସଭିଁଙ୍କ ନଜର ରହିଛି।

