ପ୍ରୟାଗରାଜ: ୧୪୪ ବର୍ଷ ପରେ ପଡ଼ିଛି ମହାକୁମ୍ଭ । ତେଣୁ ସାରା ବିଶ୍ବରୁ ଲୋକେ ସାହିସ୍ନାତ କରିବାକୁ ପ୍ରୟାଗରାଜ ଛୁଟି ଆସୁଛନ୍ତି । ହେଲେ ସାହିସ୍ନାନ ସମୟରେ ବାରିକେଡ ଭାଙ୍ଗି ଯିବାକରୁ ଦଳାଚକଟା ଭଳି ଘଟଣା ଘଟି ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହାସହ ଶତାଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଦଳାଚକଟା ପରେ ୧୩ଟି ଆଖଡ଼ା ସେମାନଙ୍କ ସାହିସ୍ନାନକୁ ରଦ୍ଦ କରି ଦେଇଛନ୍ତି ।
ସଙ୍ଗମ ସ୍ଥଳରେ ହୋଇଥିବା ଦଳାଚକଟାରେ ଶତାଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି । ସ୍ଥିତି ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ପ୍ରଧାନମନ୍ତ୍ରୀ ସ୍ଥିତି ଉପରେ ନଜର ରଖିଛନ୍ତି । ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଶାହ କହିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଯୋଗୀଙ୍କ ସହ କଥା ହୋଇଛନ୍ତି । ଏବେ ସ୍ଥିତି ସ୍ବଭାବିକ ଥିବା କହିଛନ୍ତି ଯୋଗୀ ଆଦିତ୍ୟନାଥ ।
ତେବେ କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନକରି ପ୍ରଶାସନ ନିର୍ଦ୍ଦେଶକୁ ପାଳନ କରିବାକୁ ଶ୍ରଦ୍ଧାଳୁଙ୍କୁ ଅପିଲ କରିଛନ୍ତି ଯୋଗୀ । ଦଳାଚକଟା ପରେ ୧୩ଟି ଆଖଡାର ସାହିସ୍ନାନ ରଦ୍ଦ କରାଯାଇଛି । ହେଲେ ଶ୍ରଦ୍ଧାଳୁଙ୍କ ସ୍ନାନ ଜାରି ରହିବ । ଆଜି ମୌନୀ ଅମାବାସ୍ୟା ପାଇଁ ପ୍ରୟାଗରାଜରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଇଥିଲା । ଭୋର ୪ଟାରୁ ଅମୃତ ସ୍ନାନ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ । ଏହି ସମୟରେ ବ୍ୟାରିକେଡ୍ ଭାଙ୍ଗିଯିବାରୁ ଦଳାଚକଟା ହୋଇଛି ।