ସରସ୍ଵତୀ ପୂଜା ପାଇଁ ବାଇକ ଯୋଗେ ହାଇସ୍କୁଲ କୁ ତିନି ଛାତ୍ର ଆସୁଥିବା ବେଳେ ଦୁର୍ଘଟଣା ରେ ଜଣକର ମୃତ୍ୟୁ ଓ ଅନ୍ୟ ଦୁଇ ବନ୍ଧୁ ଗୁରୁତର


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ସ୍ଥିତ ମେଟାକାନୀ ଛକ ନିକଟରେ ବିଦ୍ୟୁତ ଖୁଣ୍ଟ ରେ ଧକ୍କା ହୋଇ ବାଇକ ଦୁର୍ଘଟଣା ଘଟିଥିଲା । ଏଥିରେ ମୁର୍ଷୁଣ୍ଢୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ର ତିନି ଜଣ ଛାତ୍ର ବାଇକ ଯୋଗେ ସରସ୍ଵତୀ ପୂଜା ପାଇଁ ସ୍କୁଲ କୁ ଆସୁଥିଲେ l ଦୁର୍ଘଟଣା ରେ ତିନିଜଣ ଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ରବିବାର ସକାଳୁ ନିଜ ଘରୁ ବାଇକ ଯୋଗେ ମୁର୍ଷୁଣ୍ଢୀ ହାଇସ୍କୁଲକୁ ସରସ୍ବତୀ ପୂଜା ପାଇଁ ଚୌକା ଗାଁର ନବମ ଶ୍ରେଣୀର ଛାତ୍ର କ୍ରିସ୍ ମହାକୁର ଓ ତନ୍ମୟ ମହାକୁର ଆଉ ଜଣେ ଯୁଧିଷ୍ଠିର ପୁର ଗାଁ ର ଛାତ୍ର ଦେବାଶିଷ ମଲ୍ଲିକ ନିଜ ନିଜ ଘରୁ ବାଇକ ଯୋଗେ ସରସ୍ଵତୀ ପୂଜା ରେ ଯୋଗଦେବା ପାଇଁ ଆସୁଥିଲେ। ମେଟାକାନୀ ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ । ଉକ୍ତ ସମୟରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ଆସୁଥିବା ବେଳେ ଗୁରୁତର ତିନି ଛାତ୍ର ଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତନ୍ମୟ ମହାକୁରଙ୍କୁ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଗୁରୁତର ଛାତ୍ର ଦେବାଶିଷ ମଲ୍ଲିକଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ବେଳେ ଅନ୍ୟ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦେଇଥିବା ଜଣାଯାଇଛି ।