Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର: ବିଜେପିର ୨୫ ବର୍ଷ ପ୍ରତୀକ୍ଷାର ହେବ କି ଅନ୍ତ

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର । ୫ ତାରିଖରେ ସମସ୍ତ ୭୦ ଆସନରେ ହେବ ଭୋଟ । ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଶେଷ ପ୍ରୟାସ ଚଲାଇଥିଲେ ତିନି ପ୍ରମୁଖ ରାଜେନୖତିକ ଦଳ ଆପ୍, ବିଜେପି ଓ କଂଗ୍ରେସ । ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗି ପଡ଼ିଥିଲେ ହେବିଓ୍ବେଟ୍ ନେତା ।

୨୫ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବାକୁ ବିଜେପି ପୂରା ଦମ ଲଗାଇ ଦେଇଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ରବିବାର ମୋଦି ଆର.କେ ପୁରମ୍ ସଭାରେ ଦିଲ୍ଲୀରେ ବିକାଶର ନୂଆ ବସନ୍ତ ଆସିବ ବୋଲି କହିବା ପରେ ଗତକାଲି ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ କଥା ହେବା ଛଳରେ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲର କଡ଼ା ସମାଲୋଚନା କରିଥିଲେ । ସେ କହିଥିଲେ, ନିଜ ଛବି ବଞ୍ଚାଇବାକୁ ଦଶମରେ ପାସ୍ ପ୍ରତିଶତ କମିଯିବା ଡରରେ କମ୍ ମାର୍କ ଆଣୁଥିବା ପିଲାଙ୍କୁ ଦଶମ ଶ୍ରେଣୀକୁ ଯିବାକୁ ଦେଉନି ଦିଲ୍ଲୀ ସରକାର ।

ମୋଦି ପିଲାଙ୍କ ସହ କଥା ହୋଇ ଦିଲ୍ଲୀ ଶିକ୍ଷା ମଡେଲର ପୋଲ୍ ଖୋଲୁଥିଲେ ତ ଏପଟେ ୨୨ଟି ରୋଡ୍ ଶୋ ଓ ଜନସଭା ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କଠୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଗୋଆ ସିଏମ୍ ପ୍ରମୋଦ ସାୱନ୍ତ, ସ୍ମୃତି ଇରାନୀ ପ୍ରମୁଖ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତା ଆପ୍ ସରକାରକୁ ଆପ୍-ଦା କହି, ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିଥିଲେ ।

ଏପଟେ ଦୁର୍ନୀତି ଅଭିଯୋଗର କାଳିମା ଭିତରେ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ଲାଗିଛି ଆପ୍ । ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଆତିସି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ହରଭଜନ ସିଂ, ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସଂଜୟ ସିଂ ପ୍ରମୁଖ ସଭା, ଶୋଭାଯାତ୍ରା କରି ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ଜୋରଦାର କସରତ୍ କରିଥିଲେ । କେବଳ ସେତିକି ନୁହେଁ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ଓ ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ମଧ୍ୟ ଆପ୍ ପାଇଁ ପ୍ରଚାରକୁ ଓହ୍ଲାଇଥିଲେ ।

ସେପଟେ ୨୦୧୩ ପରେ ପୁଣି ଦିଲ୍ଲୀ ଦଖଳ କରିବାକୁ କଂଗ୍ରେସ ବି ପଛରେ ପଡ଼ିନି । ଶେଷ ଦିନରେ ଆଜି କମାଣ ସମ୍ଭାଳିଥିଲେ ସାଂସଦ ପ୍ରିୟଙ୍କା ଗାନ୍ଧି । ଡୋର ଟୁ ଡୋର୍ କ୍ୟାମ୍ପେନ୍ ସହ ରୋଡ ଶୋ ଜରିଆରେ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ପ୍ରିୟଙ୍କା । ଏସବୁ ଭିତରେ ଚର୍ଚ୍ଚାରେ ଥିଲା ଦିଲ୍ଲୀ ଯମୁନା ପାଣିକୁ ନେଇ ରାଜ୍ୟସଭା ସାଂସଦ ତଥା ଏକଦା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ସ୍ବାତୀ ମଲିୱାଲଙ୍କ କେଜ୍ରିୱାଲଙ୍କୁ ହମଲା । ସ୍ବାତୀ ପୂର୍ବାଞ୍ଚଳର ମହିଳାମାନଙ୍କୁ ଧରି ଯମୁନା ଯାଇ ସେଠାରେ କେଜ୍ରିୱାଲଙ୍କ ପୁତ୍ତଳିକାକୁ ଡୁବକି ଲଗାଇବା ସହ ଯମୁନା ଜଳ ଧରି କେଜ୍ରିୱାଲଙ୍କ ବାସଭବନ ଯାଏଁ ଶୋଭାଯାତ୍ରାରେ ଯାଇ ତାଙ୍କ ଅଡୁଆ ବଢ଼ାଇ ଥିଲେ । ଏସବୁ କ୍ୟାମ୍ପେନ୍ ଓ ନିଆରା ବିକ୍ଷୋଭ ଭିତରେ ଆଜି ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାର ସରିଥିଲା ବେଳେ ଏବେ ଅପେକ୍ଷା ୫ ତାରିଖର ଭୋଟ ଗ୍ରହଣ ଓ ୮ ତାରିଖ ଭୋଟ୍ ଗଣତିର ଫଳାଫଳକୁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ