ଦନ୍ତାପାଲି ରେ ରାମାୟଣ ନବାହ କାର୍ଯ୍ୟକ୍ରମ ଅବସରରେ ସୁନ୍ଦରାକାଣ୍ଡ ପରାୟଣ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ପଞ୍ଚାୟତର ଦନ୍ତାପାଲି ଗ୍ରାମରେ ଗତ ଫେବୃଆରୀ ୧୪ ତାରିଖ ରୁ ଚାଲିଥିବା ରାମାୟଣ ନବାହ କାର୍ଯ୍ୟକ୍ରମର ଗୁରୁବାର ସପ୍ତମ ଦିବସରେ ସୁନ୍ଦର କାଣ୍ଡ ପାରାୟଣ ସହିତ ଲଙ୍କାକାଣ୍ଡ ର ଗୋଟିଏ ଅଧ୍ୟାୟ ପଠନ ପରେ ଗ୍ରନ୍ଥ ବିଶ୍ରାମ କରିଛନ୍ତି । କୋଟସମଲାଏ ଗ୍ରାମର ବିଶିଷ୍ଟ ପାରାୟଣ ଗାୟକ ଶ୍ରୀରାମ ପଣ୍ଡା ବ୍ୟାସାସନ ଅଳଙ୍କୃତ କରି ରାମାୟଣ ପାଠ କରୁଥିବାବେଳେ ପରିଚାଳକ ଦେବେନ୍ଦ୍ର ପଣ୍ଡା ଓ ପତ୍ନୀ ସନ୍ତୋଷିନୀ ପଣ୍ଡା କର୍ତ୍ତା ଦାୟିତ୍ଵ ଏବଂ କମଳପୁରର ବଳରାମ ପଣ୍ଡା ମୁଖ୍ୟ ପୂଜକ ଦାୟିତ୍ଵ ନିର୍ବାହ କରୁଛନ୍ତି। ଗ୍ରନ୍ଥ ପାଠରେ ଆଜିର ମୁଖ୍ୟ ବିଷୟବସ୍ତୁ ହନୁମାନଙ୍କ ଦ୍ବାରା ସମୁଦ୍ର ଲଂଘନ , ଲଙ୍କାପୁର ଅଶୋକ ବାଟିକା ରେ ସୀତା ଠାବ , ଶ୍ରୀରାମଙ୍କ ନାମାଙ୍କିତ ମୁଦ୍ରିକା ସୀତାଙ୍କୁ ପ୍ରଦାନ, ହନୁମାନ ଦ୍ୱାରା ରାବଣ ପୁତ୍ର ଅକ୍ଷୟ କୁମାର ନିଧନ , ଇନ୍ଦ୍ରଜିତ ଙ୍କ ଦ୍ବାରା ହନୁମାନଙ୍କୁ ନାଗଫାଶ ରେ ବନ୍ଧନ , ହନୁମାନ ଓ ରାବଣଙ୍କ କଥୋପକଥନ, ଲଙ୍କା ଦହନ , ହନୁମାନଙ୍କ ଲଙ୍କା ରୁ ପ୍ରତ୍ୟାବର୍ତ୍ତନ ଓ ସମସ୍ତ ଖବର ଶ୍ରୀରାମଙ୍କୁ ବର୍ଣ୍ଣନା ,ବିଭିଷଣ ଶରଣ , ସେତୁ ବନ୍ଧନ ଆଦି ବିଷୟବସ୍ତୁ ରହିଥିଲା ।ପ୍ରତିଦିନ ସାଂଧ୍ୟ କାର୍ଯ୍ୟକ୍ରମ ମାନଙ୍କରେ ବିଭିନ୍ନ କଣ୍ଠଶିଳ୍ପୀ ମାନଙ୍କ ଭଜନ ପରିବେଷଣ ସହିତ ଅଞ୍ଚଳର ବିଶିଷ୍ଟ ପ୍ରବାଚିକା ବାଗ୍ମୀ ସୁଶ୍ରୀ ଅଳକାନନ୍ଦା ଦାସଙ୍କ ରାମକଥା ପରିବେଷଣ, ଆଧ୍ୟାତ୍ମିକ ପରିବେଶକୁ ଆହୁରି ରସାଣିତ କରୁଥିଲା । ଏହି ନବାହ କାର୍ଯ୍ୟକ୍ରମ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରକାଶ।