ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଟିକିରାପଡାରେ ଦୀର୍ଘ ନଅଦିନ ଧରି ଅନୁଷ୍ଠିତ ହେଉଥିବା ନବନିର୍ମିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ ହୋଇଯାଇଛି । ଗତ ୨ ତାରିଖରେ ଏକୋଇଶ ଶହ ମହିଳାଙ୍କୁ ନେଇ ଏକ ବିଶାଳ କଳସ ଶୋଭାଯାତ୍ରା ମହାନଦୀରୁ ବାହାରି ସୁବଳୟା ଓ ଟିକିରାପଡା ପରିକ୍ରମା ପୂର୍ବକ ଯଜ୍ଞମଣ୍ଡପ ଓ ନାମମଣ୍ଡପରେ ସ୍ଥାପନ କରିଥିଲେ । ୩ ତାରିଖ ଦିନ ସକାଳରୁ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୩୦ଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରି ହରେକୃଷ୍ଣ ମହାମନ୍ତ୍ର ସଂକୀର୍ତ୍ତନ କରିଥିଲେ । ସେହିଦିନଠାରୁ ସାପ୍ତାହିକ ଭାଗବତ ପାରାୟଣ ମଧ୍ଯ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗିରର ଶ୍ରୀମାନ ଗଗନ ମିଶ୍ର ବ୍ୟାସାସନେ ଉପବେଶନ କରି ପ୍ରତ୍ୟହ ହଜାର ହଜାର ଭକ୍ତଙ୍କୁ ହରି କଥାମୃତ ପାନ କରାଇଥିଲେ । ନାମମଣ୍ଡପରେ ରମାକାନ୍ତ ମେହେର ସପତ୍ନିକ , ଯଜ୍ଞମଣ୍ଡପରେ ହରି ମେହେର ସପତ୍ନିକ ଓ ପାରାୟଣରେ ସନ୍ୟାସୀ ମେହେର ସପତ୍ନିକ କର୍ତ୍ତା ଦାୟିତ୍ବ ତୁଲାଇ ଥିଲେ। ସପ୍ତମ ଦିବସରେ ମନ୍ଦିର ଚୁଳରେ କୁମ୍ଭ କଳସ , ପାର୍ଶ୍ବରେ ପାର୍ଶ୍ବ ଦେବଦେବୀ ସ୍ଥାପନ ପୂର୍ବକ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିର ପ୍ରବେଶ କରିଥିଲେ । ସେଦିନ ଗ୍ରାମର ଝିଅ ଜୋଇଁ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଭୋଗ ଥାଳ ନେଇ ପ୍ରଭୁଙ୍କୁ ଅର୍ପଣ କରିଥିଲେ । ମନ୍ଦିରରେ ସୀତାରାମ ପାଢୀ, ନାମ ମଣ୍ଡପରେ ଆନନ୍ଦ ଷଡଙ୍ଗୀ ଓ ପାରାୟଣରେ ପ୍ରମୋଦ ମିଶ୍ର ପ୍ରମୁଖ ପୂଜାକାର୍ଯ୍ୟ ସଂପାଦନ କରୁଥିଲେ। ଏହି ଅବସରରେ ସାତଦିନ ଧରି କଂସ ଦରବାର ଓ ମୀନାବଜାର ଆଦି ଅନୁଷ୍ଠିତ ହୋଇଥିଲା। ମହାରାଜ କଂସ ଭୂମିକାରେ ବିନିକା ଅରିଗାଁର ଗୋପାଳ ଦାଶ ଓ ସାଥୀ କଳାକାରଙ୍କ ନିଖୁଣ ଅଭିନୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମଣ୍ଡଳୀଙ୍କୁ ବାନ୍ଧି ରଖୁଥିଲା । ଏଥିରେ ପ୍ରତ୍ୟହ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରୁଥିଲେ। ପ୍ରତ୍ୟହ ହଜାର ହଜାର ଦର୍ଶକ ତଥା ଭକ୍ତ ଯୋଗଦାନ କରି ପ୍ରଭୁକୃପା ଲାଭ କରିବା ସହ ହରିହାଟରେ ଅନ୍ନପ୍ରସାଦ ସେବନ କରୁଥିଲେ। ସୋମବାର ଅନ୍ତିମ ଦିବସରେ ସୁବଳୟା ଧୀବରପଡାର ଅବଧୁତ କ୍ଳବ୍ ଓ ଡୁମୁରୀ ଗ୍ରାମର ମହିଳା ସଂକୀର୍ତ୍ତନ ଦଳ ସହ ଶହସ୍ରାଧିକ ଭକ୍ତ ନଗର ପରିକ୍ରମା ପୂର୍ବକ ଦଧିଭାଣ୍ଡ ଭାଙ୍ଗି ମହୋତ୍ସବର ପୂର୍ଣ୍ଣାହୁତି ତଥା ପରିସମାପ୍ତି କରିଥିଲେ । ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତ ଯୋଗଦାନ କରି ସାହାଯ୍ଯ ସହଯୋଗ ପୂର୍ବକ ଦୀର୍ଘ ନଅଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ମହୋତ୍ସବକୁ ସଫଳ କରିଥିଲେ ।
ଟିକରାପଡ଼ା ରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସହିତ ମନ୍ଦିର ପ୍ରବେଶ କଲେ ଚତୁର୍ଦ୍ଧାମୂର୍ତ୍ତି
