ଓଡ଼ିଶା ଡଟ୍ ନ୍ୟୁଜ: ଟ୍ରେନରେ ଯିବା ବେଳେ ଯଦି ପୂର୍ବରୁ ଟଙ୍କା ଉଠାଇ ନଥିବେ କିମ୍ବା ଅଧା ବାଟରେ କିଛି କିଣାକିଣି କରିବାକୁ ମନ ହେବ ଆଉ ଆପଣଙ୍କ ପାଖରେ ଟଙ୍କା କମ ପଡ଼ି ଯାଉଥିବ ତେବେ କ’ଣ କରିବେ ଭାବୁଛନ୍ତି କି ? ଆଉ ବେଶି ଭାବନ୍ତୁ ନାହିଁ । କାରଣ ଯଦି ଆପଣ ଟ୍ରେନରେ ଯିବା ବେଳେ ଏମିତି ସମସ୍ୟାରେ ପଡ଼ନ୍ତି, ତେବେ ତୁରନ୍ତ ଆପଣଙ୍କ ପର୍ସ ଫୁଲ ହୋଇଯିବ । ହଁ ଆଜ୍ଞା, ଟ୍ରେନରେ ଯିବା ବେଳେ ପର୍ସରେ ଟଙ୍କା ସରି ଯିବା କି କମ ପଡ଼ିବା ଚିନ୍ତାରୁ ମିଳିବ ମୁକ୍ତି । ଭାରତୀୟ ରେଲଓ୍ବେ ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନରେ ଏଟିଏମ୍ ବ୍ୟବସ୍ଥା ଲଞ୍ଚ କରିଛି । ମୁମ୍ବାଇରୁ ନାସିକ ମଧ୍ୟରେ ଯାତ୍ରା କରୁଥିବା ପଞ୍ଚବଟୀ ଏକ୍ସପ୍ରେସରେ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି । ପ୍ରଥମ ଥର ଏହାର ଟ୍ରାଏଲ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା କୁହାଯାଇଛି ।
ରେଳବାଇର ଭୁସବଳ ଡିଭିଜନ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ପକ୍ଷରୁ ମିଳିତ ଭାବରେ ଏହି ମିଶନ ଆରମ୍ଭ କରାଯାଇଛି । ଭାରତୀୟ ରେଳର ଇନ୍ନୋଭେଟିଭ ଆଣ୍ଡ ନନଫେୟାର ରେଭିନ୍ୟୁ ଆଇଡିଆସ ସ୍କିମ (ଇନଫ୍ରିସ) ଅଧୀନରେ ଏହି ସେବା ଆରମ୍ଭ କରାଯାଇଛି । ପ୍ରଥମ ଥର ପାଇଁ ଟ୍ରାଏଲ ରନରେ ଏକ ଏସି ବଗିରେ ଏହି ଏଟିଏମକୁ ସ୍ଥାପନ କରାଯାଇଛି । ଆଗାମୀ ଦିନରେ ଏହାକୁ ସମସ୍ତ ବଗିରେ ସ୍ଥାପନ କରାଯିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏଟିଏମର ସୁରକ୍ଷା ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନବାଚୀ ହୋଇଛି । ଏହାସହ ଏହି କିଓସ୍କ ଏଟିଏମକୁ ୨୪ ଘଣ୍ଟା ଧରି ସିସିଟିଭି ଅଧୀନରେ ରଖାଯିବ । ଏହା ସଫଳ ହେଲେ ଏହାକୁ ସମସ୍ତ ବଗିରେ ଓ ଅନ୍ୟାନ୍ୟ ଟ୍ରେନରେ ମଧ୍ୟ ସ୍ଥାପନା କରାଯିବ । ଟ୍ରେନରେ ଚଢିବା ପୂର୍ବରୁ ଯଦି କୌଣସି କାରଣରୁ କେହି ବ୍ୟକ୍ତି ପଇସା ଉଠାଇ ପାରି ନାହାନ୍ତି ତେବେ ଏହା ସେମାନଙ୍କ ପାଇଁ ଲାଭ ଦାୟକ ହେବ । ଟଙ୍କା ଉଠାଇବା ସହିତ ଚେକବୁକ୍ ଅର୍ଡର କରିବା ଓ ଷ୍ଟେଟମେଣ୍ଟ ଗ୍ରହଣ କରି ହେବ ।
ଚଳନ୍ତା ଟ୍ରେନରେ କିଓସ୍କ ଏଟିଏମର ସଫଳ ହୋଇଥିବା ବେଳେ ୱିଥଡ୍ରୟାଲ ଲିମିଟ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସାଧାରଣ ଏଟିଏମ ଭଳି ଏଠାରେ ମଧ୍ୟ ଲିମିଟ ରହିବ । ଏହା ଆଗାମୀ ଦିନରେ ନିର୍ଦ୍ଧାରିତ ହେବ ବୋଲି ଜଣାପଡ଼ିଛି । ଆଇଆରସିଟିସି ପକ୍ଷରୁ ପଏଣ୍ଟ ଅଫ ସେଲ (ପିଓଏସ) ମେସିନ ମଧ୍ୟ ସ୍ଥାପନ କରାଯାଇଛି । ଟ୍ରେନ ମଧ୍ୟ କ୍ୟାସଲେସ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ଦେବା ପାଇଁ ଏହା ସ୍ଥାପନ କରାଯାଇଛି ।