ଗାଜଲବାଡ଼ି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ


ବାଲିଗୁଡା,ତା, ୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗାଜଲବାଡ଼ି ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ୬୦ ଫୁଟ ତଳକୁ ଖସିଲା ବୋଲେରୋ ପିକଅପ୍ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ । ତେବେ ପିକଅପ୍ ଭ୍ୟାନଟି ଛତିଶଗଡରୁ ବ୍ରହ୍ମପୁର ଅଭିମୁଖେ ଗାଜଲବାଡ଼ି ଘାଟି ରାସ୍ତା ଦେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି । ସୂଚନା ମୁତାବକ, ଶୁକ୍ରବାର ସକାଳ ସାଢେ଼ ୯ ଟା ସମୟରେ ଏକ ଭ୍ୟାନ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗାଜଲବାଡ଼ି ଘାଟିରେ ବୁଲାଣି ସମୟରେ ୬୦ ଫୁଟ ତଳକୁ ଖସି ଯାଇଥିଲା ପିକଅପ୍ ଭ୍ୟାନ । ଫଳରେ ଉକ୍ତ ଗାଡ଼ି ସହ ଚାଳକ ଖାଲକୁ ଖସି ଯାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ସୋରଡ଼ା ଅଗ୍ନିଶମ ବିଭାଗ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ୬୦ ଫୁଟ ଖାଲ ତଳକୁ ଯାଇ କଟର ମେସିନ ସାହାଯ୍ୟରେ ଗାଡ଼ିକୁ କାଟି ବାହାର କରିଥିଲେ ଚାଳକଙ୍କୁ । ତେବେ ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ୧ ଘଣ୍ଟାର ପରିଶ୍ରମ ପରେ ନୂଆଁ ଜୀବନ ପାଇ ଉଦ୍ଧାର ହୋଇଥିଲେ ଗାଡ଼ି ଚାଳକ । ଚାଳକ ପାଇଁ ଭଗବାନ ସାଜି ଥିଲେ ଅଗ୍ନିଶମ କର୍ମଚାରୀ । ଗାଡ଼ି ଚାଳକ ଉଦ୍ଧାର ହେବା ପରେ ସଙ୍ଗେ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଇଛି।