ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ଆତଙ୍କବାଦୀଙ୍କୁ ପଠାଇ ନରସଂହାର କରିବା ପରେ ଭାରତର ଆକ୍ସନରେ ପାକିସ୍ତାନ ହିତାଧିତ ଜ୍ଞାନ ଭୁଲି ଯାଇଛି । ଯେସାକୁ ତେସା ଜବାବ ଦେବାକୁ ଯାଇ ନିଜ ଗୋଡ଼ରେ କୁଢ଼ାରି ମାରିଛି । ସିନ୍ଧୁ ଜଳ ଚୁକ୍ତି ବାତିଲ କରିବା ପରେ ପାକିସ୍ତାନ ଭାରତ ବିରୋଧରେ ଆକ୍ସନ ନେବାକୁ ଯାଇ ଏମିତି ଏକ କାମ କରିଦେଲା, ଯାହା ଫଳରେ ବିନା ଯୁଦ୍ଧରେ ପାକିସ୍ତାନୀ ପୋକମାଛି ପରି ମରିବା ଏକ ପ୍ରକାର ନିଶ୍ଚିତ ।
ଭାରତର ଆକ୍ସନ ପରେ ପାକିସ୍ତାନ ନୂଆଦିଲ୍ଲୀ ସହ ସମସ୍ତ ପ୍ରକାରର ବେପାର ବନ୍ଦ କରି ଦେଲା । ଯାହାର ପ୍ରଭାବ ଏବେଠାରୁ ପାକିସ୍ତାନୀଙ୍କ ଉପରେ ପଡ଼ିବାରେ ଲାଗିଛି । ବିନା ଔଷଧରେ ପାକିସ୍ତାନୀ ଏବେ ମରଣମୁହାଁରେ ଛିଡ଼ା ହୋଇଛନ୍ତି । ଏମିତି ସ୍ଥିତିରେ ପାକିସ୍ତାନ ଏବେ ଜରୁରୀକାଳୀନ ଔଷଧ ମହଜୁଦ କରିବାରେ ଲାଗିଛି । କାରଣ ଔଷଧ ଆଉ ସ୍ୱାସ୍ଥ୍ୟକ୍ଷେତ୍ରରେ ପାକିସ୍ତାନ ଭାରତ ଉପରେ ହିଁ ନିର୍ଭର କରିଥାଏ ।
ତେବେ ପାକିସ୍ତାନ ମେଡିସିନ୍ ଆବଶ୍ୟକତା ପୂରଣ ନେଇ ଔଷଧ ବିନିୟାମକ ପ୍ରାଧିକରଣ ପୃଷ୍ଟି କରିଛି । ହେଲେ ଔଷଧ କ୍ଷେତ୍ରରେ ପ୍ରତିବନ୍ଧକ ପ୍ରଭାବ ନେଇ କୌଣସି ଔପଚାରିକ ଅଧିସୂଚନା ଦିଆଯାଇନାହିଁ । ହେଲେ ପାକିସ୍ତାନ ଆକସ୍ମିକ ଭାବେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ପାକିସ୍ତାନ ଔଷଧ ପାଇଁ ୩୦ରୁ ୪୦ ପ୍ରତିଶତ କଞ୍ଚାମାଲ ଭାରତ ଉପରେ ନିର୍ଭର କରିଥାଏ । ଯେଉଁଥିରେ ସକ୍ରିୟ ଔଷଧ ସାମଗ୍ରୀ ଓ ବିଭିନ୍ନ ଉନ୍ନତ ଚିକିତ୍ସା ଉତ୍ପାଦ ସାମଗ୍ରୀ ସାମିଲ ଅଛି । ତେଣୁ ଭାରତ ସହ ସମ୍ପର୍କ ଛିନ୍ନ କରି ପାକ୍ ଏବେ ଚୀନ, ଋଷ ଓ ଅନ୍ୟ ୟୁରୋପୀୟ ଦେଶଠାରୁ ସାହାଯ୍ୟ ଆଶାରେ ରହିଛି ।
ପାକିସ୍ତାନ ସରକାରର ସ୍ୱାସ୍ଥ୍ୟ ବିଭାଗ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି କହୁଛି । ହେଲେ ସେଠାକାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ପାକିସ୍ତାନ ଭାରତ ସହ ବ୍ୟାପାର ନିଲମ୍ୱନର ପରିଣାମରୁ ବର୍ତ୍ତିବା ପାଇଁ ତତ୍କାଳ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ବଡ ବିପଦ ଛିଡା ହୋଇପାରେ । ସେହିପରି ଡିଆରଏପିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୧୯ର ସଙ୍କଟ ପରେ ଆମେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲୁ । ଏବେ ଆମେ ନିଜ ଔଷଧ ଆବଶ୍ୟକତାକୁ ପୂରା କରିବାକୁ ଅନ୍ୟ ବିକଳ୍ପ ଖୋଜୁଛୁ ।
ଏପ୍ରିଲ ୨୨ ତାରିଖରେ ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୮ ଜଣ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ଦୋହଲିଯାଇଥିଲା ପୂରା ଦେଶ । ସାରା ବିଶ୍ୱରେ ଏହି ଖବର ହେଡଲାଇନ ପାଲଟି ଯାଇଥିଲା । ଆତଙ୍କୀମାନେ ଯେଉଁଭଳି ଭାବେ ନରସଂହାର କରିଥିଲେ ସେଥିରେ ବଦଲା ନେବାକୁ ରକ୍ତଚାଉଳ ଚୋବାଉଛି ଭାରତ ।