ଓଡ଼ିଶା ଡଟ୍ ନ୍ୟୁଜ୍: ମେ’ ୧ ତାରିଖ, ବିଶ୍ବ ଶ୍ରମିକ ଦିବସ । ଆଜି ସାରା ବିଶ୍ବରେ ପାଳନ ହେଉଛି ଏହି ଦିବସ । ଶ୍ରମିକମାନଙ୍କ ପାଇଁ ବିଭିନ୍ନ ଦେଶରେ ଆଜିର ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଥାଏ । ଭାରତରେ ବି ମେ’ ପହିଲାକୁ ସରକାରୀ ଛୁଟି ଭାବେ ପାଳନ କରାଯାଏ । ହେଲେ ଜାଣିଛନ୍ତି କି ଶ୍ରମିକ ଦିବସର ଇତିହାଦ ? ଏହାକୁ ପାଳନ କରିବା ପଛରେ ଥିବା ଶ୍ରମିକଙ୍କ ସଂଘର୍ଷମୟ ଇତିହାସ । ଯଦି ଜାଣି ନାହାନ୍ତି, ତେବେ ଆସନ୍ତୁ ଜାଣିବା ।
ଦିନ ଥିଲା ପୁଞ୍ଜିପତି ଲୋକେ ଶ୍ରମିକଙ୍କୁ ମନଇଚ୍ଛା କାମ କରାଉଥିଲେ । ନା’ ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ପଶୁ ଭଳି ଖଟାଉ ଥିଲେ, ହେଲେ ପରିଶ୍ରମର ଉଚିତ ମୂଲ୍ୟ ଦେଉ ନଥିଲେ । ଏହାକୁ ବିରୋଧ କରି ପ୍ରଥମେ ଆମେରିକାର ଶ୍ରମିକ ସଂଗଠନ ରାସ୍ତାକୁ ଓହ୍ଲାଇଥିଲା । ଶ୍ରମିକଙ୍କ କାମର ସମୟ ୮ ଘଣ୍ଟାରେ ସୀମିତ ରଖିବାକୁ ସଙ୍ଗଠନ ପ୍ରଥମେ ଦାବି କରିଥିଲା । ଏହାକୁ ପୁଞ୍ଜିପତି ଶ୍ରେଣୀର ଲୋକେ ଗ୍ରହଣ କରି ନଥିଲେ । ଫଳରେ ହଜାର ହଜାର ଶ୍ରମିକ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଆରମ୍ଭ କରିଥିଲେ । ହେଲେ ପୁଞ୍ଜିପତି ଲୋକେ ଏହାକୁ ଦମନ କରିବାକୁ ପୂରା ବଳ ଲଗାଇ ଦେଇଥିଲେ । ଚିକାଗୋରେ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ବୋମାମାଡ ହୋଇଥିଲା । ବୋମାମାଡ କିଏ କରିଥିଲା ପୋଲିସ ତାର ଅନୁସନ୍ଧାନ କରିବା ପରିବର୍ତ୍ତେ ଏହା ଶ୍ରମିକଙ୍କ କାମ କହି ଶ୍ରମିକଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲା । ଏହି ଗୁଳିଚାଳନା ଫଳରେ ନିଜର ହକ୍ ମାଗିବାକୁ ରାସ୍ତାରେ ଆନ୍ଦୋଳନ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୮ ଜଣଙ୍କର ଜୀବନ ଚାଲି ଯାଇଥିଲା ।
ଏଥିରେ କ୍ଷୁବ୍ଧ ହୋଇ ଆନ୍ଦୋଳନକାରୀମାନେ ପୋଲିସ ଉପରେ ପ୍ରତି ଆକ୍ରମଣ କରିବା ଆରମ୍ଭ କରିଦେଲେ । ସ୍ଥିତି ଅସମ୍ଭାଳ ଓ ଅଣାୟତ୍ତ ହୋଇଥିଲା । ଏହାକୁ ନଜରରେ ରଖି ଆମେରିକା ସରକାର ତୁରନ୍ତ ଶ୍ରମିକଙ୍କ ଦାବି ମାନି ନେଇ ଦୈନିକ ଶ୍ରମ ନିର୍ଘଣ୍ଟକୁ ୮ ଘଣ୍ଟା ମଧ୍ୟରେ ସୀମିତ ରଖିଲେ । ଏହି ଦିନଠାରୁ ସାରା ବିଶ୍ୱରେ ଏହି ଆଇନ ପ୍ରଣୟନ ହେଲା ।
ଭାରତରେ ୧୯୨୩ ମସିହାଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିନକୁ ଭାରତରେ ପ୍ରଥମେ ମାଡ୍ରାସ ଦିବସ ଭାବେ ପାଳନ କରାଯାଉଥିଲା । ଭାରତରେ ଶ୍ରମିକଙ୍କ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା କରିବାକୁ ପ୍ରଥମେ ଦାବି ଜଣାଇଥିଲା ଭାରତୀ ମଜଦୁର କିଷାନ ପାର୍ଟି । ଏହାର ନେତୃତ୍ୱ ନେଇଥିଲେ କମ୍ରେଡ ସିଙ୍ଗରବେଲୁ ଚେଟିଆର । ଏନେଇ ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ କରିଥିଲେ । ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଣ୍ଟା ଶ୍ରମ ନିର୍ଘଣ୍ଟକୁ ସ୍ବୀକୃତି ଦେଇଥିଲେ । ସେବେଠାରୁ ଭାରତରେ ବି ଶ୍ରମିକ ଦିବସକୁ ସରକାର ଛୁଟି ଘୋଷଣା କରାଯାଇଛି ।