ଓଡ଼ିଶା ଡଟନ୍ ନ୍ୟୁଜ୍: ପହଲଗାମ ନରସଂହାର ପରେ ଭାରତ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣକୁ ନେଇ ପାକିସ୍ତାନ ଛାନିଆ । କେତେବେଳେ ଚୀନ ଓ ଋଷକୁ ମଧ୍ୟସ୍ଥତା କରିବାକୁ କହୁଛି ତ କେତେ ବେଳେ ପରମାଣୁ ଆକ୍ରମଣର ଧମକ ଦେଉଛି । ଅନ୍ୟପକ୍ଷେ ଭାରତ ଚୁପଚାପ ଗୋଟିଏ ପରେ ଗୋଟିଏ ଝଟକା ପାକିସ୍ତାନକୁ ଦେବାରେ ଲାଗିଛି । ଘଟଣା ପରଠାରୁ ଭାରତ ପାକିସ୍ତାନ ଉପରେ ଓ୍ବାଟର, ଇକୋନମୀ ଓ ଡିଜିଟାଲ ଷ୍ଟ୍ରାଇକ କରି ଏକ ପ୍ରକାର ମେରୁଦଣ୍ଡ ଭାଙ୍ଗି ସାରିଲାଣି । ଧ୍ବଂସର ଦ୍ବାରଦେଶରେ ଛିଡ଼ା ହୋଇ ବି ପାକିସ୍ତାନ ନିଜ ପ୍ରକୃତି ଛାଡ଼ି ପାରୁନି । ଭାରତକୁ ଘେରିବାକୁ ଜାତିସଙ୍ଘକୁ ଯାଇ ନିଜ ଉପରକୁ ବିପଦ ଡାକି ଆଣିଛି ଏହି ଆତଙ୍କୀସ୍ତାନ ।
ଜାତିସଂଘରେ ପାକିସ୍ତାନର ଡ୍ରାମା ଫେଲ୍ ମାରିଛି । ନିଜ ଜାଲରେ ଓଲଟା ନିଜେ ଫସିଛି । ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧ ଦ୍ବାର ବୈଠକରେ ପାକିସ୍ତାନକୁ କଡ଼ା ସମାଲୋଚନା କରାଯାଇଛି । ପହଲଗାମ ଆକ୍ରମଣରେ ଲସ୍ତର-ଇ-ତୋଇବାର ସମ୍ପୃକ୍ତି ନେଇ ପାକିସ୍ତାନକୁ ପ୍ରଶ୍ନ ପଚାରିଲେ ଜାତିସଂଘ ସୁରକ୍ଷା ପରିଷଦ । ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ପାକିସ୍ତାନକୁ ବୈଠକରେ ଭର୍ତ୍ସନା କରାଯାଇଛି ।
ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଜରିଆରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଯୋଜନା କରିଥିଲା ପାକିସ୍ତାନ । ହେଲେ ଏହା ଓଲଟା ତାକୁ ହିଁ ଭାରି ପଡିଛି । ପାକିସ୍ତାନ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେବା କଥାକୁ ବି ବୈଠକରେ ନିନ୍ଦା କରାଯାଇଛି । ଏଭଳି ମନ୍ତବ୍ୟ ରଖି ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ୟୁଏନଏସସି । ତେବେ ଭାରତ ସହ ଆଲୋଚନା କରି ସ୍ଥିତି ସମ୍ଭାଳିବାକୁ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଜାତିସଂଘ ।