ଆଇପିଏଲ ୨୦୨୫: କୋଲକାତା-ଚେନ୍ନାଇ ମ୍ୟାଚ ବେଳେ ଷ୍ଟେଡିୟମକୁ ବୋମା ବିସ୍ଫୋରଣରେ ଉଡାଇ ଦେବାକୁ ଧମକ


ଓଡ଼ିଶା ଡଟ୍ ନ୍ୟୁଜ୍: ଗତକାଲି କୋଲକାତାର ଇଡେନ ଗାର୍ଡେନରେ କୋଲକାତା ଏବଂ ଚେନ୍ନାଇ ମଧ୍ୟରେ ଆଇପିଏଲ ମ୍ୟାଚ୍ ଖେଳା ଯାଇଥିଲା । ତେବେ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ହୋଇଥିଲା ଧମକ । ବେଙ୍ଗଲ କ୍ରିକେଟ ଆସୋସିଏସିନକୁ ଇ-ମେଲ ଜରିଆରେ ଏହି ଧମକ ଦିଆଯାଇଥିଲା । ଯାହା ପରେ ପୂରା ଷ୍ଟାଡିୟମ ସୁରକ୍ଷା ବଳୟ ଭିତରରେ ରହିଥିଲା ।

ବୋମା ବିସ୍ଫୋରଣ ଧମକ ପରେ ପୂରା ଭାରତରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ଅପରେସନ ସିନ୍ଦୂର କରି ପିଓକେ ଓ ପାକିସ୍ତାନ ଭିତରେ ଏୟାର ଷ୍ଟ୍ରାଇକ୍ କରି ୯ଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଦେଇଛି । ଏହା ପରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାରୁ ସୁରକ୍ଷାକୁ ନେଇ ସଜାଗ ହୋଇଥିଲା ଭାରତ ।

ଇ-ମେଲ୍ ମିଳିବା ପରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଖୋଳତାଡ଼ ଆରମ୍ଭ ହୋଇଛି । ମେଲ୍ ପଠାଇଥିବା ଅଜ୍ଞାତ ବ୍ୟକ୍ତିଙ୍କୁ ଠାବ ପାଇଁ ପୋଲିସ ଛାନଭିନ୍ କରୁଛି । ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି, ଦ୍ୱି-ପହରରେ କୌଣସି ଅଜ୍ଞାତ ବ୍ୟକ୍ତି ମେଲ୍ କରି ମ୍ୟାଚ୍ ବେଳେ ବୋମା ବିସ୍ଫୋରଣର ଧମକ ଦେଇଥିଲେ । ମେଲ୍ ମିଳିବା ପରେ ଇଡେନ୍ ଗାର୍ଡେନର ସୁରକ୍ଷାକୁ ବଢାଇ ଦିଆଯାଇଥିଲା, ହେଲେ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା । ଉଭୟ ଚେନ୍ନାଇ ଓ କୋଲକାତା ଟିମର ଖେଳାଳିମାନେ ଭାରତୀୟ ସେନାର ସଫଳତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ।