ସୀମାରେ ପାକିସ୍ତାନର ଗୁଳି ବର୍ଷା: ଜଣେ ଯବାନ ସହିଦ, ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ


ଓଡ଼ିଶା ଡଟ୍ ନ୍ୟୁଜ୍: ଭାରତର ଯେବେଠାରୁ ଆତଙ୍କବାଦୀଙ୍କୁ ସମୂଳେ ବିନାଶ କରିବାକୁ ପ୍ରତିଜ୍ଞା କରିଛି ପାକିସ୍ତାନ ଓ ଏହାର ସେନାରେ ଭୟର ବାତାବରଣ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିଲା । ତେବେ ଅପରେସନ ସିନ୍ଦୂର ଜରିଆରେ ଭାରତ ପିଓକେ ସ ପାକିସ୍ତାନରେ ଥିବା ୯ଟି ଆତଙ୍କୀ ଶିବିରକୁ ଧ୍ବଂସ କରିବା ପରେ ପାକ ସେନା ରକ୍ତମୁଖା ହୋଇଯାଇଛି । ସୀମାରେ ପାକିସ୍ତାନ ପଟୁ ଘନ ଘନ ଆକ୍ରମଣ କରାଯାଉଛି । ଫଳରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୧୫ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି । ଏହାସହ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସୀମାନ୍ତ ରାଜୌରୀ, ପୁଞ୍ଚ, ତଙ୍ଗଧର ଆଦି ଅଞ୍ଚଳରେ ସୀମାନ୍ତ ଗାଁ ଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୧୫ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛି । ପାକିସ୍ତାନୀ ସେନା ମୁଖ୍ୟତଃ ସୀମା ଏପଟେ ଥିବା ସାଧାରଣ ଲୋକଙ୍କୁ ହିଁ ଟାର୍ଗେଟ୍ କରୁଛନ୍ତି । ଭାରି ତୋପ ମାଡ ସହ ଗୁଳି ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ନଷ୍ଟ ହୋଇଛି । ସାଧାରଣ ଲୋକଙ୍କ ବହୁ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ସୀମାନ୍ତ ଲୋକ ଭୟଭୀତ ହୋଇ ଘର ଛାଡୁଛନ୍ତି।

ଅନ୍ୟପକ୍ଷରେ ସୀମାରେ ଜୀବନମୃତ୍ୟୁର ଯୁଦ୍ଧ ଚାଲିଥିବା ବେଳେ ଭାରତର ଅପରେସନ ସିନ୍ଦୂରକୁ ଘାଟି ରାଜ୍ୟର ଲୋକେ ପ୍ରଶଂସା କରିଛନ୍ତି । କ୍ଷତି ହେଉ ପଛେ ପାକିସ୍ତାନକୁ କଡା ଜବାବ ଦିଆଯାଉ ବୋଲି କହୁଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପକ୍ଷରେ ଘଟଣାକୁ ନେଇ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏକ ଜରୁରୀ କାଳୀନ ବୈଠକ ଡକାଇ ଆଲୋଚନା କରିଛନ୍ତି ।

ସେହିପରି LoCରେ ପାକିସ୍ତାନ ସେନା ଦ୍ୱାରା ପ୍ରବଳ ଗୁଳିବର୍ଷାରେ ଜଣେ ବୀର ଯବାନ ସହିଦ ହୋଇଛନ୍ତି । ବୀର ଯବାନ ଜଣଙ୍କ ହେଉଛନ୍ତି ୫ ଫରଓ୍ୱାଡ୍ ରେଜିମେଣ୍ଟର ଲାନସ ନାୟକ ଦିନେଶ କୁମାର । ଏନେଇ ହ୍ୱାଇଟ ନାଇଟ୍ କୋର ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ଭୋର ସମୟରେ ପାକିସ୍ତାନ ପଟୁ ଗୁଳିବର୍ଷାରେ ଯବାନ ଦିନେଶ କୁମାର ସହିଦ ହୋଇଛନ୍ତି । ଦେଶ ପାଇଁ ଦିନେଶଙ୍କ ବଳିଦାନକୁ ସଲାମ କରୁଛି ବୋଲି ଉଲ୍ଲେଖ କରିଛି ହ୍ୱାଇଟ ନାଇଟ୍ କୋର । ଏଥିସହ ଯେଉଁ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ସହ ଆମେ ଠିଆ ହୋଇଛି ବୋଲି ଉଲ୍ଲେଖ କରାଯାଇଛି ।