ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଜବାବ ଦେବାକୁ ଯାଇ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା।ଏହି ଅପରେସନ ସମୟରେ ଭାରତ ପାକିସ୍ତାନ ଉପରେ ‘ବ୍ରହ୍ମୋସ’ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ଓ ଏହା ନୁର ଖାନ ଏୟାରବେସକୁ ନଷ୍ଟ କରିଦେଇଥିଲା।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାମର୍ଶଦାତା ରାଣା ସନାଉଲ୍ଲାହ ବ୍ରହ୍ମୋସ କୁ ନେଇ କହିଛନ୍ତି ଯେ ଯେତେବେଳେ ଏହି କ୍ଷେପଣାସ୍ତ୍ର ଏୟାରବେସ୍ ଉପରେ ପଡ଼ିଥିଲା ସେହି ସମୟରେ ଏହା ପରମାଣୁ ବୋମା ବହନ କରିଛି କି ନାହିଁ ନିଷ୍ପତ୍ତି ନେବାକୁ ସେମାନଙ୍କ ପାଖରେ ମାତ୍ର ୩୦-୪୫ ସେକେଣ୍ଡର ହିଁ ସମୟ ଥିଲା। ସେ ଜଣେ ପାକିସ୍ତାନୀ ସାମ୍ବାଦିକ ହମିଦ ମିରଙ୍କ ସହ ସାକ୍ଷାତକାର ବେଳେ ଏହା ସ୍ବୀକାର କରିଥିଲେ ଓ କହିଥିଲେ ଯେ କିଛି ଭୁଲ ବୁଝାମଣା ଯୋଗୁଁ ପାକିସ୍ତାନର ଲୋକମାନେ ଏହାକୁ ପରମାଣୁ ଆକ୍ରମଣ ଭାବରେ ବିବେଚନା କରିପାରିଥାନ୍ତେ। ଯାହାଦ୍ଵାରା ବିଶ୍ୱ ପରମାଣୁ ଯୁଦ୍ଧ ହୋଇଥାନ୍ତା।
ତେବେ ‘ଅପରେସନ୍ ସିନ୍ଦୁର’ ସମୟରେ ଭାରତ ପାକିସ୍ତାନର ଅନେକ ବାୟୁସେନା, ରନୱେ, ହ୍ୟାଙ୍ଗର ଏବଂ କୋଠାଗୁଡ଼ିକ ରେ ଆକ୍ରମଣ କରିଥିଲା। ସରଗୋଧା, ନୁର ଖାନ (ଚକଲାଲା), ଭୋଲାରି, ଜାକୋବାବାଦ, ସୁକ୍କୁର ଏବଂ ରହିମ ୟାର ଖାନରେ ଏହାଦ୍ଵାରା ଅନେକ କ୍ଷତି ପହଞ୍ଚିଥିବା ସାଟେଲାଇଟରେ ଦର୍ଶାଯାଇଛି। ତେବେ ନୁର ଖାନ ରାୱଲପିଣ୍ଡିର ଚକଲାଲାରେ ପାକିସ୍ତାନ ବାୟୁସେନା (PAF)ର ଏକ ପ୍ରମୁଖ ବାୟୁସେନା ଘାଟି ଅଟେ। ଏହା ପୂର୍ବରୁ ୧୯୭୧ ରେ ଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନା (IAF)ର ୨୦ ସ୍କ୍ବାଡ୍ରନ୍ ଏହାର ହକର୍ ହଣ୍ଟର୍ସ ସହିତ ଏହି ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲା।