ନୂଆପଡ଼ାରେ ଉପନିର୍ବାଚନ ରାଜନୀତି ସରଗରମ, ବିଜେଡ଼ିରେ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ବିଧାୟକ ପ୍ରାର୍ଥୀ!

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଏବେ ବିଜେଡ଼ିରେ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଢୋଲକିଆ ପରିବାର ପ୍ରତି ଭୋଟରଙ୍କ ସମ୍ବେଦନା ରହିଥିବା ଆଲୋଚନା ହେଉଛି ।
୨୦୨୨ ଜୁନ ୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡ଼ି ସରକାର ମନ୍ତ୍ରୀ ମଣ୍ଡଳରେ ରାଜେନ୍ଦ୍ର ଯୋଜନା ଓ ସମନ୍ୱୟ ମନ୍ତ୍ରୀ ହୋଇଥିଲେ । ୨୦୨୨ ଜୁନ ୫ରୁ ୨୦୨୪ ଏପ୍ରିଲ ପର୍ଯ୍ୟନ୍ତ ପ୍ରାୟ ୨ବର୍ଷ ଧରି ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ନୂଆପଡ଼ା ବିଧାନସଭା ମଣ୍ଡଳୀ ସମେତ ସମଗ୍ର ଜିଲ୍ଲାରେ ତାଙ୍କର କାର୍ଯ୍ୟକାଳରେ ବହୁ ବିକାଶମୂଳକ କାମ ହୋଇଥିଲା । ଏବେବି ସାଧାରଣ ଜନତା ଓ ଭୋଟର ରାଜେନ୍ଦ୍ରଙ୍କୁ ଝୁରି ହେଉଛନ୍ତି । ଆସନ୍ତା ଉପନିର୍ବାଚନ ପାଇଁ ରାଜେନ୍ଦ୍ରଙ୍କ ପୁଅ ଜୟକୁ ଲୋକେ ପ୍ରାର୍ଥୀ ହେବାକୁ ସମର୍ଥନ କରୁଛନ୍ତି । ଏମିତିକି ଦଳ, ନେତା ଓ କର୍ମୀଙ୍କ ମଧ୍ୟ ଢୋଲକିଆ ପରିବାର ପ୍ରତି ସମବେଦନା ରହିଛି ।
ଗତ ୪ବର୍ଷ ହେବ ରାଜେନ୍ଦ୍ର ନିଜ ପୁଅ ଜୟ ଢୋଲକିଆଙ୍କୁ ରାଜନୀତିକୁ ଆଣିଥିଲେ । ସେ ଜୟଙ୍କୁ ଦଳୀୟ ବୈଠକ ସହ ସଭାସମିତିରେ ସାମିଲ କରୁଥିଲେ । ବାପାଙ୍କ ଅନୁପସ୍ଥିତିରେ ଜୟ ଲୋକଙ୍କ ନିମନ୍ତ୍ରଣ ଆସିବା ମାତ୍ରେ ବିବାହ, ବ୍ରତ, ଏକୋଇଶିଆ, ଶ୍ରାଦ୍ଧ, ଦଶାହ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିଣୁଥିଲେ । ସେ ଗାଁରୁ ସହର ସବୁଠି ଛୋଟବଡ଼ କ୍ରିକେଟ, ଫୁଟବଲ, କବାଡ଼ି ଟୁର୍ଣ୍ଣାମେଣ୍ଟରେ ଯୁବକଙ୍କ ସହ ସାମିଲ ହେଉଥିଲେ । ବାପାଙ୍କ ଅନୁସରଣ କରି ‘ମାନବ ସେବା ହିଁ ମାଧବ ସେବା’ରେ ନିଜକୁ ସମର୍ପିତ କରିଥିଲେ । ସାମୂହିକ ବିବାହ, ଚକ୍ଷୁ ଶିବିର ଭଳି ସେବା କାମରେ ସାମିଲ ହେଉଥିଲେ । ବାପାଙ୍କ ସମାଜସେବା, ପରୋପକାର କାମକୁ ଆଗକୁ ବଢାଇଥିଲେ । ବାପାଙ୍କ ସବୁ କଥା ବୁଝିବା ସହ ନିଜେ ବି ରାଜନୀତିରେ ସାମିଲ ହୋଇଥିଲେ । ଏଣୁ ଲୋକେ ବି ଜୟଙ୍କୁ ଭଲ ପାଉଥିଲେ । ବାପାଙ୍କ ଗୁଣ ପାଇଁ ପୁଅକୁ ଲୋକେ ପସନ୍ଦ ଓ ଗ୍ରହଣ କରୁଥିଲେ । ରାଜେନ୍ଦ୍ରଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଏଣୁ ବିଜେଡିରୁ ଜୟ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ଦଳ ଯାହାକୁ ପ୍ରାର୍ଥୀ କରିବ, ସେଥିରେ ମୁଁ ଏକମତ । ଦଳୀୟ ହାଇକମାଣ୍ଡ ଓ ଜିଲ୍ଲାର ବିଜୁ ପରିବାରଙ୍କ ଅନୁମତି ଓ ନିର୍ଦ୍ଦେଶରେ ଆଗକୁ ବଢିବି ବୋଲି ଜୟ କହିଛନ୍ତି । ଏବେବି ଢୋଲକିଆ ପରିବାର ଓ ପୁଅ ଜୟଙ୍କ ଉପରେ ସାଧାରଣ ଜନତାଙ୍କ ସମବେଦନା ରହିଥିବା ଚର୍ଚ୍ଚା ହେଉଛି ।