ଆସନ୍ତା ୨୫ ତାରିଖରେ ଏବଂ ଅକ୍ଟୋବର ୧ରେ ଦୁଇଟି ଲଘୁଚାପ, ଫିକା ପଡ଼ିବ ଦୁର୍ଗାପୂଜା

ଏଥର ଦୁର୍ଗାପୂଜା ପୂରା ଭିଜିବ। ଆଗକୁ ଆସିବାକୁ ଥିବା ଦୁଇଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୫ ତାରିଖରେ ଏବଂ ଅକ୍ଟୋବର ୧ରେ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆମାର୍ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହି ୨୨ ତାରିଖ ଆଡ଼କୁ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଫଳରେ ୨୫ ତାରିଖ ଆଡ଼କୁ ମିଆମାର-ବାଂଲାଦେଶ ଉପକୂଳ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିଭଳି ୨୪ରୁ ୨୬ ତାରିଖ ଯାଏଁ ଛତିଶଗଡ଼ ଓ ତଟୀୟ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।