ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ଟ୍ବିଷ୍ଟ, ବିଜେପିରେ ସାମିଲ ହେବେ ଜୟ ଢୋଲକିଆ, ବିଜେପି ପାର୍ଟି ଅଫିସରୁ ପୋଷ୍ଟର ଭାଇରଲ !

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ଟ୍ବିଷ୍ଟ୍ । ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଖୁବଶୀଘ୍ର ଜୟ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଜୟ ଢୋଲକିଆ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି ।ବିଜେପି ପାର୍ଟି ଅଫିସରୁ ପୋଷ୍ଟର ଭାଇରଲ! ବିଜେପିରେ ମିଶିବା ପରେ ଜୟ ଢୋଲକିଆଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଖାଲି ପଡିଛି ନୂଆପଡ଼ା ଆସନ । ସେପ୍ଟେମ୍ବର ୮ରେ ତାଙ୍କର ଦେହାନ୍ତ ହୋଇଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ି ବିଧାନସଭାକୁ ଯାଇଥିଲେ । ପରେ ବିଜେଡିରୁ ତିନିଥର ବିଧାୟକ ହୋଇଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ । ଗତ ବିଜେଡି ସରକାରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଥିଲେ ଢୋଲକିଆ । ତାଙ୍କର ଦେହାନ୍ତ ହେବା ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସରଗରମ ରାଜନୀତି । ସବୁ ରାଜନୈତିକ ଦଳର ଫୋକସ ଏବେ ନୂଆପଡା ବିଧାନସଭା ଆସନ ।