Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ କଡ଼ା ଭର୍ତ୍ସନା

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ କଡ଼ା ଭର୍ତ୍ସନା। ନିକଟରେ ମମତା ଦେଇଥିବା କିଛି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିଜ ବୟାନରେ ମମତା କହିଥିଲେ ଯେ ରାତିରେ ଝିଅମାନେ ବାହାରକୁ ବାହାରିବା ଉଚିତ୍ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଉଚିତ୍ ବୋଲି ମମତା କହିଛନ୍ତି । ପୀଡିତା ଜଣଙ୍କ ରାତି ୧୨ଟା ୩୦ ପରେ ବାହାରକୁ କାହିଁକି ଯାଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ରାତିରେ ବାହାରି ନଥିଲେ ଏଭଳି ହୋଇନଥାନ୍ତା।

ଅନ୍ୟପଟେ ତାଙ୍କ ଯୁକ୍ତିକୁ ଖଣ୍ଡନ କରି ପୀଡିତାଙ୍କ ବାପା କହିଛନ୍ତି କି ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେଲେ ସେ ରାଜ୍ୟର ଅନ୍ୟ ନାରୀଙ୍କୁ ସୁରକ୍ଷା ଦେବା କଥା । ସେ ପ୍ରଥମେ ଭାବିବା ଦରକାର କି ରାତିରେ କିଭଳି ଜଣେ ମହିଳା ସୁରକ୍ଷିତ ଭାବେ ବାହାରକୁ ଯାଇପାରିବ। ନିୟମ କଡାକଡି ପାଳନ ହେବା ଦରକାର। ମାତ୍ର ମମତା ସେପରି ନକରି ମହିଳାଙ୍କୁ ରାତିରେ ନ ବାହାରିବାକୁ କହୁଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇ ମଧ୍ୟ ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି। ଏପରି ଅନେକ କିଛି କହି ମମତାଙ୍କୁ ପ୍ରଶ୍ନ କରିଛନ୍ତି ପୀଡିତାଙ୍କ ବାପା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଇଛି। ଜାତୀୟ ମହିଳା କମିଶନ ସଦସ୍ୟା ଅର୍ଚ୍ଚନା ମଜୁମଦାର ମଧ୍ୟ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ସେ ରବିବାର ଡାକ୍ତରଖାନାରେ ପୀଡିତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହିତ ପାଞ୍ଚଦିନ ମଧ୍ୟରେ କାର୍ଯ୍ୟାନୁ‌ଷ୍ଠାନ ରିପୋର୍ଟ (ଏଟିଆର) ଦାଖଲ କରିବାକୁ ମହିଳା କମିସନଙ୍କ ପକ୍ଷରୁ ଦୁର୍ଗାପୁର ପୁଲିସକୁ ନିର୍ଦେଶ ଦିଆଯାଇଛି।

ସେପଟେ ଏହି ଘଟଣାରେ ମୋଟ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପଶ୍ଚିମବଙ୍ଗ ପୁଲିସ୍ । ରବିବାର ୩ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା । ଆଉ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ସେପଟେ ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍‌ ପହଞ୍ଚି ପୀଡିତାଙ୍କ ବାପା ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଅପରପକ୍ଷରେ ପୀଡିତା ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିଲେ ସୁଦ୍ଧା ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ଏବଂ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଆସାନସୋଲ-ଦୁର୍ଗାପୁର ଡିସିପି ଅଭିଷେକ ଗୁପ୍ତା କହିଛନ୍ତି।

ତେବେ ଆରଜି କର ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଏହି ଘଟଣା ପଶ୍ଚିମବଙ୍ଗରେ ଚର୍ଚ୍ଚାରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ