ଦେଓଗାଁରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ବୋତଲରେ ପିଟି ହତ୍ୟା କଲା ସାଙ୍ଗ
ବଲାଙ୍ଗୀର: ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧାପଡ଼ା ପୁଲିସ ଫାଣ୍ଡି ଅଧୀନସ୍ଥ ଅନ୍ତର୍ଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ କରିଛନ୍ତି ହତ୍ୟା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।
ଅନ୍ତର୍ଲା ଗାଁର ଅବସରପ୍ରାପ୍ତ ପୁଲିସ କର୍ମଚାରୀ ମୀନକେତନ ଭୋଇଙ୍କ ପୁଅ ସୁଜିତକୁ ଗତ ରାତିରେ ଅନ୍ତାର୍ଲା କେନ୍ଦୁପତ୍ର ଫଡିର ପଛ ପଟେ ଅତି ନିର୍ମମ ଭାବେ ବୋତଲରେ ପିଟି ହତ୍ୟା କରି ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ। ସୂଚନା ଅନୁସାରେ ସମସ୍ତେ ମିଶି ନିଶା ସେବନ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଅଧିକ ନିଶାସକ୍ତ ହୋଇ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟେଇଛନ୍ତି। ଏନେଇ ପୁଲିସ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ ଜବତ କରିବା ସହ ୪ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି।
ଦେଓଗାଁ ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବାରୁ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଣୁ ଏ ଦିଗରେ ପୁଲିସ ଏକ ସୁଦୃଢ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣ ଲୋକେ ଦାବି କରୁଛନ୍ତି |

