Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁର୍ଣ୍ଣୁଲ ବସ ଅଗ୍ନିକାଣ୍ଡ; ନିଶାସକ୍ତ ଡ୍ରାଇଭର ଦୁର୍ଘଟଣାର କାରଣ

କୁର୍ଣ୍ଣୁଲ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଘଟିଥିବା ବସ ଅଗ୍ନିକାଣ୍ଡ ଆମର ସଡ଼କ ସୁରକ୍ଷା ପ୍ରକ୍ରିୟାରେ ତ୍ରୁଟିର ଏକ ଭୟଙ୍କର ଉଦାହରଣ ପାଲଟିଛି। ଏହି ଦୁର୍ଘଟଣାରେ ଦୁଇଟି ଜିନିଷ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ପ୍ରଥମେ ନକଲି ଶିକ୍ଷାଗତ ପ୍ରମାଣପତ୍ର ବ୍ୟବହାର କରି ଲାଇସେନ୍ସ ପାଇଥିବା ବସ୍ ଡ୍ରାଇଭର ଏବଂ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ବାଇକ୍ ଆରୋହୀ।

ତେବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ଅଟେ। କିନ୍ତୁ ବସ ଡ୍ରାଇଭର ମିରିଆଲା ଲକ୍ଷ୍ମୈୟା କେବଳ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ ମଧ୍ୟ ଦଶମ ଶ୍ରେଣୀର ନକଲି ସାର୍ଟିଫିକେଟ ବ୍ୟବହାର କରି ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ। ପୋଲିସ ଏହି ମାମଲାର ତଦନ୍ତ କରି ବସ୍ ଡ୍ରାଇଭର ଲକ୍ଷ୍ମୈୟାଙ୍କୁ ଗିରଫ କରାଯାଇଛି।

ତେବେ ଶୁକ୍ରବାର ଦିନ ପ୍ରାୟ ୨ଟା ସମୟରେ କୁର୍ଣ୍ଣୁଲର ଚିନ୍ନା ଟେକୁରୁ ନିକଟରେ ଦୁଇ ଜଣ ମୋଟରସାଇକେଲ୍ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମୋଟରସାଇକେଲ୍ ଟି ରାସ୍ତାରୁ ଖସି ଡିଭାଇଡରରେ ପିଟି ହୋଇଯାଇଥିଲା, ଯାହା ଫଳରେ ବାଇକ ଚାଳକ ଶିବ ଶଙ୍କରଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଏରି ସ୍ୱାମୀ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଏରି ଶିବ ଶଙ୍କରଙ୍କ ମୃତଦେହକୁ ରାସ୍ତାରୁ ଉଠାଇବାକୁ ଚେଷ୍ଟା କରିଥିଲେ। ଏଥିସହିତ ରାସ୍ତାରୁ ବାଇକ୍‌ଟିକୁ ହଟାଇବାକୁ ପ୍ରୟାସ କରୁଥିବା ସମୟରେ ଏକ ବସ୍‌ ଆସି ବାଇକ୍‌ଟି ଉପରେ ଚଢ଼ିଯାଇଥିଲା।ଯାହାଫଳରେ ବସ ତଳେ ବାଇକ୍ ଟାଣି ହୋଇ ଏହାର ଇନ୍ଧନ ଟାଙ୍କି ବିସ୍ଫୋରଣ ହୋଇଯାଇଥିଲା ଓ ବସ୍‌ର ତଳ ଅଂଶରେ ନିଆଁ ଲାଗି ଯାଇଥିଲା। ଯେଉଁଥିରେ ପ୍ରାୟ ବସରେ ଥିବା ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।

ଫରେନ୍ସିକ ପରୀକ୍ଷା ରିପୋର୍ଟରୁ ଉଭୟ ବାଇକ୍‌ ଆରୋହୀ (ଶିବ ଶଙ୍କର ଏବଂ ଏରି ସ୍ୱାମୀ) ମଦ୍ୟପାନ କରିଥିବା ନେଇ ଜଣାପଡିଥିଲା ବୋଲି କୁର୍ଣ୍ଣୁଲ୍ ରେଞ୍ଜର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଅଫ୍ ପୋଲିସ କୋୟା ପ୍ରବୀଣ କହିଛନ୍ତି। ସେମାନେ ସେହି ରାତିରେ ଏକ ରେଷ୍ଟୁରାଣ୍ଟରେ ଖାଇବା ସହ ମଦ୍ୟପାନ କରିଥିଲେ ଓ ପ୍ରାୟ ୨ଟା ସମୟରେ ଘରକୁ ବାହାରିଥିଲେ ଏବଂ ଶିବ ଏରି ସ୍ୱାମୀଙ୍କୁ ତାଙ୍କୁ ଘରକୁ ଛାଡ଼ିବାକୁ କହିଥିଲେ। ତେବେ ସେମାନେ ଏକ ପେଟ୍ରୋଲ ପମ୍ପରେ ଅଟକି ଥିବା ଏକ ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ନେଇ ପୋଲିସ କହିଛି।

ଏହି ଦୁର୍ଘଟଣା ପରେ ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜ୍ଜନାର ମଦ୍ୟପ ଚାଳକମାନଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଛନ୍ତି। ତେବେ ଏହା ଏକ ସଡ଼କ ଦୁର୍ଘଟଣା ନୁହେଁ ବରଂ ଅବହେଳା ଯୋଗୁଁ ହୋଇଥିବା ଏକ ଅପରାଧ ବୋଲି ସେ କହିଛନ୍ତି। ଏଥିସହିତ ଆଗକୁ ନିଶାଗ୍ରସ୍ତ ହୋଇ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କୁ ପୋଲିସ ବରଦାସ୍ତ୍ କରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ