ପବିତ୍ର ଅଁଳା ନବମୀ; ରାଧାପାଦ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼
 
        ପୁରୀ: ପବିତ୍ର ଅଁଳା ନବମୀ ଅବସରରେ ଶୁକ୍ରବାର ଦିନ ପୁରୀ ସାକ୍ଷୀଗୋପାଳ ସ୍ଥିତ ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥିଲା।
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପବିତ୍ର କାର୍ତ୍ତିକ ମାସର ‘ଶୁକ୍ଳ ପକ୍ଷ’ର ନବମ ଦିନ ରେ ଅଁଳା ନବମୀ ପାଳନ କରାଯାଏ। ଲୋକମାନେ ଏହି ଦିନ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଅଁଳା ଗଛ ଏବଂ ଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିଥାନ୍ତି। ତେବେ ଏହି ଦିନ ଦେବୀ ରାଧାଙ୍କୁ ଓଡିଆଣୀ ବେଶରେ ଓ ଭଗବାନ ଶ୍ରୀକୃଷ୍ଣଙ୍କୁ ନଟବର ବେଶରେ ସଜା ଯାଇଥାଏ।ଏଥିସହିତ ଏହି ଦିନ ରାତିର ପ୍ରଥମ ପ୍ରହରରୁ ମନ୍ଦିରର ଦ୍ୱାର ଖୋଲିଯାଇ ମଙ୍ଗଳ ଆଳତୀ ହୋଇଥାଏ। ଏହି ଏକମାତ୍ର ଦିନରେ ସାଧାରଣ ଲୋକମାନେ ଦେବୀ ରାଧାଙ୍କ ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି।ଯିଏ ଦେବୀ ରାଧାଙ୍କ ପବିତ୍ର ପାଦ ଦେଖନ୍ତି ସେ ‘ମୋକ୍ଷ’ (ମୁକ୍ତି) ପାଇଥାନ୍ତି ବୋଲି ହିନ୍ଦୁ ଧର୍ମ ରେ ମାନ୍ୟତା ରହି ଆସିଛି।
ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଲୋକଙ୍କ ପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ପାନୀୟ ଜଳ ଏବଂ ପାର୍କିଂର ସୁବିଧା ଯୋଗାଇ ଦିଆଯାଇଛି। ଏଥିସହିତ ଭିଡ଼ ପରିଚାଳନା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ୨୦ ପ୍ଲାଟୁନରୁ ଅଧିକ ପୋଲିସ ମଧ୍ୟ ମୁତୟନ କରାଯାଇଛି।

 
                        
 
                                 
                                 
                                 
                                 
                                