ଡିଜେ ଶବ୍ଦ ମୋ ବାପାଙ୍କ ଜୀବନ ନେଲା; ଯାତ୍ରା ଅଭିନେତା ଦେବୀ ରଥଙ୍କ ପୁଅ
ଭୁବନେଶ୍ବର: ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥଙ୍କ ଦେହାନ୍ତ ହୋଇଛି। ଆଉ ଏବେ ତାଙ୍କ ମୃତ୍ୟୁ ପାଇଁ ଡିଜେ ଶବ୍ଦ ଦାୟୀ ବୋଲି କହିଛନ୍ତି ତାଙ୍କ ପୁଅ।
ଡିଜେ ପାଇଁ ଦେବୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପୁଅ ଗଣମାଧ୍ୟମକୁ କହିଛନ୍ତି। ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ଚାଲିଥିଲା। ଉଚ୍ଚ ଶବ୍ଦରେ ଡିଜେ ବାଜୁଥିଲା। କାହାକୁ କହିଲେ ବି କେହି ଶୁଣିଲେନି। ଡିଜେ ଶବ୍ଦରେ ଆମ ଘର ଦୁଲୁକୁଥିଲା। ଏକା ସାଙ୍ଗରେ ୩ଟି ଡିଜେ ଗାଡ଼ି କର୍କଶ ଶବ୍ଦ କରି ଶୋଭାଯାତ୍ରା କରୁଥିଲେ। ଏତେ ଉଚ୍ଚ ଶବ୍ଦକୁ କିପରି ଜଣେ ୭୧ ବର୍ଷୀୟ ଅସୁସ୍ଥ ଲୋକ ସମ୍ଭାଳିଥାଆନ୍ତେ ବୋଲି କହିଛନ୍ତି।
ଦେବୀ ରଥ ଯାତ୍ରା ଜଗତରେ ସବୁ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। ୭୧ ବର୍ଷ ବୟସରେ ମହାନ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ ନିଜ ଗାଁରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେ ୨୦୧୭ ମସିହାରେ ଯାତ୍ରା ମଞ୍ଚରୁ ଆନୁଷ୍ଠାନିକ ଭାବରେ ଅବସର ନେଇଥିଲେ। ଯାହା ଦ୍ୱାରା ଓଡ଼ିଆ ଯାତ୍ରା ରଙ୍ଗମଞ୍ଚର ଏକ ଯୁଗକୁ ପରିଭାଷିତ କରୁଥିବା ୪୨ ବର୍ଷର ଯାତ୍ରାର ଅନ୍ତ ଘଟିଥିଲା।ତାଙ୍କର ଶେଷ ଅଭିନୟ “ଠକି ଦେଲ ବନ୍ଧୁ ଠିକାଣା ବେଳେ” ନାଟକ ଥିଲା। ଯାହାକୁ ଦର୍ଶକମାନେ ତାଙ୍କର ଉଚ୍ଚକୋଟୀର ଅଭିନୟ ଏବଂ ଦମଦାର ଡାଇଲଗ ପାଇଁ ମନେ ରଖିଛନ୍ତି।

