ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କୁ ଅଭୂତପୂର୍ବ କ୍ଷମତା: ୩ ସେନାର ମୁଖ୍ୟ ଭାବେ ନିଯୁକ୍ତ
ପାକିସ୍ତାନ ସଂସଦ ଆଜି ଏକ ଐତିହାସିକ ପଦକ୍ଷେପରେ ୨୭ତମ ସାମ୍ବିଧାନିକ ସଂଶୋଧନ ପାସ୍ କରିଛି ଏବଂ ଏହା ଦ୍ବାରା ସେନା ମୁଖ୍ୟ ମୁନିରଙ୍କୁ ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ସଂଶୋଧନ ସୈନ୍ୟ କ୍ଷମତାକୁ କେନ୍ଦ୍ରୀଭୂତ କରିବା ସହ ମୁନିରଙ୍କୁ ପାକିସ୍ତାନର ସର୍ବୋଚ୍ଚ କ୍ଷମତାଶାଳୀ ବ୍ୟକ୍ତି କରିଛି। ଏବେ ତାଙ୍କର କ୍ଷମତା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କ୍ଷମତାକୁ ମଧ୍ୟ ଅତିକ୍ରମ କରିଯାଇଛି। ପାକିସ୍ତାନର ପରମାଣୁ ନୀତିରେ ମୁନିରଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ବୋଲି କୁହାଯାଇଛି।
ଅନୁଚ୍ଛେଦ ୨୪୩ରେ ସଂଶୋଧନ ଦ୍ୱାରା ତିନି ସେନାର ମୁଖ୍ୟ କମାଣ୍ଡର (ସିଡିଏଫ୍) ପଦକୁ ସ୍ଥାୟୀ କରାଯାଇଛି ଏବଂ ନଭେମ୍ବର ୨୭ ପରେ ଏହି ପଦରେ ଆଉ କୌଣସି ନୂଆ ନିଯୁକ୍ତି ହେବ ନାହିଁ। ପୂର୍ବରୁ ଫିଲ୍ଡ ମାର୍ଶାଲଙ୍କ ମାନ୍ୟତା ପାଇଥିବା ମୁନିର ଏଭଳି ବିରଳ ଓ ଆଜୀବନ କ୍ଷମତା ପାଇବା ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି। ସେ ଜାତୀୟ କମାଣ୍ଡ କର୍ତ୍ତୃପକ୍ଷ (ପରମାଣୁ ଅସ୍ତ୍ର ସମ୍ବନ୍ଧୀୟ) ନିଯୁକ୍ତି ନିୟନ୍ତ୍ରଣ କରିବେ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ଆଉ କୌଣସି ବିଶେଷ ଭୂମିକା ରହିବ ନାହିଁ। ଏହି ପରିବର୍ତ୍ତନ ପାକିସ୍ତାନର ସାମରିକ ପରାଜୟ ପରେ ହୋଇଥିବାରୁ ସବୁ ମହଲରେ ଏହା ବିସ୍ମୟ ସୃଷ୍ଟି କରିଛି। ଏଭଳି ପରିସ୍ଥିତି ପାଇଁ ପାକିସ୍ତାନର ବିଫଳ ଗଣତନ୍ତ୍ର ଦାୟୀ ବୋଲି ଅନେକ ସାମରିକ ବିଶେଷଜ୍ଞ ମତ ରଖିଛନ୍ତି। ବିଶେଷ କରି ୨୦୨୫ ମେ’ରେ ଭାରତର ଅପରେସନ୍ ସିନ୍ଦୂର ଯୋଗୁଁ ପାକିସ୍ତାନୀ ବାୟୁସେନାର ୧୨ଟି ବିମାନ ନଷ୍ଟ ବା କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏହାପରେ ପାକିସ୍ତାନ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା।

