ଆଜି ଲଘୁଚାପ; ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ
ଭୁବନେଶ୍ୱର,୨୨|୧୧: ଆଜି ଲଘୁଚାପ । ଦିନକ ପରେ ଅବପାତର ରୂପ ନେବ । ଆସନ୍ତା ୨୫-୨୬ ତାରିଖ ବେଳକୁ ସାଇକ୍ଲୋନରେ ପରିଣତ ହେବ । ସ୍କାଏମେଟର ଆକଳନ ଅନୁସାରେ, ଏହି ସାଇକ୍ଲୋନ ତାମିଲନାଡୁ ହୋଇ ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ| ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ‘ସେନ୍ୟାର’ ରହିବ ବୋଲି କୁହାଯାଇଛି।
ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବା ପରେ ପୂର୍ବ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି । ଆସନ୍ତା ନଭେମ୍ବର ୨୭ରୁ ୨୯ ତାରିଖ ମଧ୍ୟରେ ତାମିଲନାଡୁ, ଆନ୍ଧ୍ର ଓ ଓଡ଼ିଶା ଉପରେ ମାଡ଼ ହେବାର ସମ୍ଭାବନା ରହିଛି । ଅଧିକାଂଶ ମଡେଲରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି କୁହାଯାଉଛି। ତେବେ ଏହା ଗଭୀର ଅବପାତରେ ପରିଣତ ହେବା ପରେ ସ୍ପଷ୍ଟ ଗତିପଥ ଜଣାପଡ଼ିବ।
କିନ୍ତୁ ଭାରତୀୟ ପାଣିପାଗ ବିଭାଗ ସାଇକ୍ଲୋନକୁ ନେଇ ଏ ପଯ୍ୟନ୍ତ କିଛି ସ୍ପଷ୍ଟ ଆକଳନ କରିନାହିଁ । ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଆସନ୍ତା ୨୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଏହା ଓଡ଼ିଶା ଉପକୂଳ ଠାରୁ ବହୁ ଦୂରରେ ରହିଛି ତେଣୁ ରାଜ୍ୟରେ ଆଗାମୀ ୫ରୁ ୭ଦିନ ଯାଏ ବିଶେଷ ବର୍ଷାର ସମ୍ଭାବନା ନାହିଁ |

