ବିଧାୟକଙ୍କ ଗାଡ଼ି ଧକ୍କାରେ ୨ ଗୁରୁତର; ଆହତଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି
ବାରିପଦା,୨୪|୧୧: ମୟୂରଭଞ୍ଜରେ ଏକ ଦୁଖଦଃ ଘଟଣା ଘଟିଛି | ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସାରସକଣାରେ ବିଧାୟକଙ୍କ ଗାଡ଼ି ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି | ଏବଂ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।
ସୂଚନା ଅନୁସାରେ, ଗତ ରବିବାର ଦିନ ସାରସକଣା ବିଧାୟକ ଭାଦବ ହାଁସଦା ନିଜ ସ୍କର୍ପିଓ (ଓଡି୦୫ଏକେ-୭୪୯୩)ରେ ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥରେ ଉଦଳା ଯାଉଥିଲେ। ଅପରାହ୍ଣ ପ୍ରାୟ ୫ଟା ବେଳେ ବିଧାୟକଙ୍କ ଗାଡ଼ି ବାସିପିଠା ନିକଟ ଟାଙ୍ଗଣା ଛକରେ ଲୁନାରେ ଯାଉଥିବା ସନ୍ନ୍ୟାସୀ ସିଂ (୫୫) ଓ ମିଚୁ ସିଂ (୬୦)ଙ୍କୁ ଧକ୍କା ଦେଇ ଏକ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ବିଧାୟକ ହାଁସଦା, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ଓ ଡ୍ରାଇଭର୍ ଗାଡ଼ିରୁ ଓହ୍ଲାଇ ସେହି ସ୍ଥାନରୁ ଫେରାର ହୋଇଯାଇଥିବାର ସୂଚନା ରହିଛି।
ଘଟଣା ପରେ ସ୍ଥାନୀୟ ଲୋକେ ଆହତ ହୋଇଥିବା ଉଭୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଅନ୍ୟପଟେ ବିଧାୟକ ଘଟଣାର ବିଚାର କରି ଚିକିତ୍ସା କଥା ନ ବୁଝି ସେଠାରୁ ଫେରାର ହୋଇଯାଇଥିବାରୁ ଅଧିକ ଉତ୍ତେଜନା ଦେଖା ଯାଇଥିଲା। ଉଦଳା-ବାରିପଦା ଅଞ୍ଚଳର ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ।
ଘଟଣାସ୍ଥଳରେ ଖୁଣ୍ଟା ପୁଲିସ ଅଧିକାରୀ ତୁରନ୍ତ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। ବିଧାୟକ ଉଭୟ ଗୁରୁତରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ନେଇ ପ୍ରତିଶ୍ରୁତି ମିଳିବା ପରେ ସ୍ଥିତିରେ ସୁଧାର ଆସିଥିଲା। ତେବେ ଏ ସଂପର୍କରେ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ଖୁଣ୍ଟା ଥାନାଧିକାରୀ ପଞ୍ଚାନନ ମହାନ୍ତି କହିଛନ୍ତି ଯେ, ଦୁର୍ଘଟଣା ଘଟାଇଥିବା ବିଧାୟକଙ୍କ ଗାଡ଼ିକୁ ଆମେ ଜବତ କରି ଥାନାକୁ ଆଣିଛୁ। ଅଭିଯୋଗ ହେଲେ ମାମଲା ରୁଜୁ କରାଯିବ। ତେବେ ଗୁରୁତର ହୋଇଥିବା ଉଭୟ ବ୍ୟକ୍ତି ଟାଙ୍ଗଣା ଗ୍ରାମର ବୋଲି ଜଣାପଡ଼ିଛି।

