Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆରମ୍ଭ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଡଲାଗି ବେଶ; ଆରମ୍ଭ ହେବ ବିଶେଷ ନୀତି

ପୁରୀ ;୨୬ା୧୧: ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଘୋଡ଼ଲାଗି ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପର୍ଯ୍ୟନ୍ତ ଚାଲି ରହିବ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଘୋଡ଼ଲାଗି ନୀତି ଅନ୍ୟତମ ଅଟେ। ମଙ୍ଗଳବାର ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି। ରାତ୍ରି ସମୟରେ ଚନ୍ଦନ ଲାଗି ବଢ଼ିବା ପରେ ପତନୀ, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ ମଦନ ମୋହନ, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ କରାଯାଇଥିଲା। ଏହା ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥିଲା। ବଡ଼ସିଂହାର ଭୋଗ ସରି ଠାକୁରଙ୍କ ମଇଲମ ବଢିବା ପରେ ମହାସ୍ନାନ ବଢ଼ିଥିଲା। ଠାକୁରମାନଙ୍କୁ ଝିନ ପତନୀ ଲାଗି କରାଯାଇଥିଲା। ସର୍ବାଙ୍ଗ ଲାଗି ବଢିବା ପରେ ବିଭିନ୍ନ ନୀତି ବଢି ଆଳତି କରାଯାଇଥିଲା।

ଆଜି ଏହି ଅବସରରେ ମହାପ୍ରଭୁଙ୍କ ସକାଳ ଧୂପବଢିବା ପରେ ମଇଲମ କରାଯାଇଛି | ଗତକାଲି ରାତିରୁ ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡମାନଙ୍କୁ ଘଣ୍ଟ ଛତା, କାହାଳୀ ସହ ପଟୁଆରରେ ଶ୍ରୀମନ୍ଦିରର ତିନି ଘେରା ପ୍ରଦକ୍ଷିତ କରାଯାଇଥିଲା | ଏହାପରେ ମହାପ୍ରଭୁଙ୍କୁ ରତ୍ନସିଂହାସନକୁ ବିଜେ କରାଯିବ। ସିଂହାସନରେ ଠାକୁରଙ୍କ ପାଗ ଓ ଘୋଡ ଲାଗି କରାଯାଇ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ।

ମାନ୍ୟତା ରହିଛି ଯେ, ପଞ୍ଚମୀ ତିଥିରେ ମହାପ୍ରଭୁ ଶୀତ ସହିତ ଯୁଦ୍ଧ କରି ହାରିଯାଇଥାନ୍ତି। ତେଣୁ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଦୁଇଥର ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁ ଷଷ୍ଠୀ ତିଥିରୁ ଘୋଡ ଲାଗି ହୋଇଥାନ୍ତି। ସପ୍ତାହର ୭ ଦିନରେ ବାର ଅନୁଯାୟୀ ଶ୍ରୀବିଗ୍ରହମାନେ ୭ ପ୍ରକାର ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ