Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହ୍ୟୁମାନ ସାଗରଙ୍କ ରୋଜଗାର ଟଙ୍କାକୁ ହେରଫେର କରିଥିବା ଅଭିଯୋଗ; କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ଦେଲେ ନିର୍ଦ୍ଦେଶକ ଜିତୁ ରାଉତ

କଟକ,୨୬|୧୧ : ଓଲିଓଡ଼ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦେହାନ୍ତଙ୍କୁ କିଛିଦିନ ବିତିବା ପରେ ମଧ୍ୟ ବିବାଦ ଥମିବାର ନାଁ ଧରୁନି | ପ୍ରତିଦିନ ନୂଆ ନୂଆ ତଥ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି | ପୁଣି ଥରେ ଥାନାରେ ପହଞ୍ଚିଲା ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା | ତେବେ କିଛିଦିନ ପୂର୍ବରୁ ବଲାଙ୍ଗୀର ଟାଉନ୍ ଥାନା ଓ ସଇଁତଳା ଥାନାରେ ହ୍ୟୁମାନଙ୍କ ଦୁଇ ପିଏଙ୍କ ନାମରେ ଅଭିଯୋଗ କରାଯାଇଥିଲା | ହ୍ୟୁମାନଙ୍କୁ ରେଷ୍ଟ ନ ଦେଇ କାମ କରାଇବା ଏବଂ ତାଙ୍କ ମା ଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ନେଇ ରହିଥିଲା ଅଭିଯୋଗ |

ଏବେ ପୁଣି ଥରେ ହ୍ୟୁମାନଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ କରିବା ପାଇଁ ଥାନାରେ ଏତଲା ଦିଆଯାଇଛି । କଟକ ମଧୁପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ । ତାଙ୍କ ଏତଲାରେ କଣ୍ଠଶିଳ୍ପୀ ଅର୍ପିତା, ହ୍ୟୁମାନଙ୍କ ମ୍ୟାନେଜର ପ୍ରଶାନ୍ତ ଓ ଦିନେଶଙ୍କ ନାଁ ଉଲ୍ଲେଖ କରାଯାଇଛି । ଯାହା ପୂର୍ବରୁ ହ୍ୟୁମାନଙ୍କ ମା ମଧ୍ୟ ସେମାନଙ୍କ ନାଁ ବାରମ୍ବାର ଗଣମାଧ୍ୟମରେ କହିଆସୁଛନ୍ତି| ତେବେ ହ୍ୟୁମାନଙ୍କ ମୃତ୍ୟୁ ଘଟଣାର ଟିକନିଖ ତଦନ୍ତ କରିବାକୁ ଦାବି କରିଛନ୍ତି ନିର୍ଦ୍ଦେଶକ ଜିତୁ ରାଉତ। ତାଙ୍କ ସହ ଅନ୍ୟ କଳାକାର ମାନେ ମଧ୍ୟ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କର ତିନି ସହଯୋଗୀଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି । ହ୍ୟୁମାନଙ୍କ ନାମରେ ରହିଥିବା ଟଙ୍କା, ତାଙ୍କ ଚିକିତ୍ସା ଓ ସେବାରେ ହୋଇଥିବା ଅବହେଳା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଜିତୁ ରାଉତ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ହ୍ୟୁମାନ ସାଗର ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହେଇଛି । ତାଙ୍କ ମ୍ୟାନେଜର ଓ ପୁରା ଟିମ୍ ନିଜ ନିଜର ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଛନ୍ତି ।

ସେପଟେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ସୂଚନା ଅନୁସାରେ, ହାଇକୋର୍ଟ ବାର୍ ଆସୋସିଏସନର ଯୁଗ୍ମ ସମ୍ପାଦିକା ଆଇନଜୀବୀ ପଦ୍ମାଳୟା ମହାପାତ୍ର ଚିଠି ଲେଖିଛନ୍ତି । ହ୍ୟୁମାନଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ ? ସେ ଚାପ କିମ୍ବା ଅବହେଳାର ଶିକାର ହୋଇଥିଲେ କି? ଏହିଭଳି ଅନେକ ସମ୍ଭାବ୍ୟ କାରଣ ଗୁଡିକ ଖୋଜି ବାହାର କରିବା ଲାଗି ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେ ଉଲ୍ଲେଖ କରିଛନ୍ତି ଯେ,ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ କିମ୍ୱା କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରନ୍ତୁ | ତାଙ୍କ ମୃତ୍ୟୁ ସହ ଯେଉଁ ଲୋକମାନେ ବି ଜଡିତ ଅଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ପରିବାର ଲୋକଙ୍କୁ ବି ଏହି ତଦନ୍ତରେ ସାମିଲ କରାଯାଉ | ହ୍ୟୁମାନଙ୍କ ସମ୍ପର୍କୀତ ସମସ୍ତ ଡିଜିଟାଲ ପ୍ରମାଣ, ହ୍ୟୁମାନଙ୍କ ମୋବାଇଲ ଫୋନ, କଲ୍ ଡିଟେଲ୍ସ, ବ୍ୟାଙ୍କ କାରବାର ଓ ସୋସିଆଲ ମିଡିଆ ତଥ୍ୟକୁ ସୁରକ୍ଷିତ ରଖାଯାଉ ବୋଲି ସେ ଦାବି କରିଛନ୍ତି। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ସ୍ପଷ୍ଟ ରିପୋର୍ଟ ଉପସ୍ଥାପିତ କରାଯାଉ ବୋଲି ଆଇନଜୀବୀ ପଦ୍ମାଳୟା ମହାପାତ୍ର ଦାବି କରିଛନ୍ତି ।

ଅନ୍ୟପଟେ, ହ୍ୟୁମାନ ସାଗରଙ୍କୁ ନ୍ୟାୟ ନଦେଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇ ବଲାଙ୍ଗିର ଜିଲ୍ଲା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଖ୍ରୀଷ୍ଟିଆନ ସୋସାଇଟି ଓ ତାଙ୍କ ପରିବାର ସଦସ୍ୟ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ସାଧାରଣ ମୃତ୍ୟୁ ନୁହେଁ । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ମା’କୁ ନ୍ୟାୟ ମିଳୁ, ଗୋଟିଏ ଝିଅକୁ ନ୍ୟାୟ ମିଳୁ । ମ୍ୟାନେଜରଙ୍କ ସହ ଯେଉଁମାନେ ହ୍ୟୁମାନଙ୍କ ସହ ସମ୍ପୃକ୍ତ ଥିଲେ ସମସ୍ତଙ୍କର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଭଳି କିଛି ଦାବି ନେଇ ବଲାଙ୍ଗିର ଜିଲ୍ଲା ଏସପିଙ୍କ ଦ୍ବାରସ୍ଥ ହୋଇ ଦାବି ଜଣାଇଛନ୍ତି ଖ୍ରୀଷ୍ଟିଆନ ସୋସାଇଟି ଓ ତାଙ୍କ ପରିବାର ସଦସ୍ୟ । ଗୋଟିଏ ମା’ଙ୍କୁ ଗାଳି କରିଥିବା ମ୍ୟାନେଜରଙ୍କୁ ଗିରଫ କରାଯାଉ, ତାର ଆକାଉଣ୍ଟ ସହ ସମସ୍ତଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉ । ଜଣେ ସୁସ୍ଥ ମଣିଷର ଦେହ ହଠାତ କେମିତି ଶୁଖିଲା ପଡିଲା ଓ ପରେ ତାଙ୍କର ମୃତ୍ୟୁ ହେଲା ଏ ଘଟଣା ସହଜ ନୁହେଁ ବୋଲି ଦାବି କରି ପୋଲିସ ତଦନ୍ତ କରିବା ନେଇ ଦାବି କରିଛନ୍ତି ସମସ୍ତେ । ସେପଟେ ଯଦି ସତ ସାମ୍ନାକୁ ନ ଆସେ, ତଦନ୍ତ କରାନଯାଏ ତାହେଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ