ବାପାକୁ ପର କରି ମା’ କୋଳକୁ ଚାଲିଗଲେ ଦୁଇ ଭାଇ ; ଗୋଟିଏ ଜୁଇରେ ଦୁଇଭାଇଙ୍କ ଅନ୍ତିମ ସଂସ୍କାର
ଦିଗପହଣ୍ଡି;୨୬ା୧୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା |ସେହି ଗ୍ରାମର ନିକଟରେ ଥିବା ମା’ ସାତଭଉଣୀ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟାଟା ଏସି ଗାଡ଼ି ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସାନଭାଇ ଅଜୟ କୁମାର ମହାରଣା ଓରଫ ମିଟୁଙ୍କ ମୃତ୍ୟୁ ହୋଇଥିଲା | ଅନ୍ୟ ପକ୍ଷରେ ବଡ଼ଭାଇ ଅରୁଣ କୁମାର ମହାରଣା ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଥିଲେ | ବୁଧବାର ଅପରାହ୍ନରେ ସେହି ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା।
ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ତ୍ରିନାଥ ମହାରଣାଙ୍କ ପତ୍ନୀ କନକଲତା ମହାରଣାଙ୍କ ଗତ ୧୦ ଦିନ ପୂର୍ବେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଏକାଦଶାହ କାର୍ଯ୍ୟ ରହିଥିବା ବେଳେ ବୁଧବାର ଦ୍ବାଦଶାହ କାର୍ଯ୍ୟ ରହିଥିଲା | ସେହି ଶୁଦ୍ଧି ଭୋଜି କାର୍ଯ୍ୟ ନିମନ୍ତେ ଦୁଇଭାଇ ଅଜୟ ଓ ଅରୁଣ ନିଜ ସ୍କୁଟି ଯୋଗେ ବାଳକୃଷ୍ଣପୁର ଗ୍ରାମରୁ ସହଦେବ ଟିକରପଡ଼ା ଯାଉଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲ ଅଣାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ସାନଭାଇ ଅଜୟଙ୍କୁ ମୃତ ଘୋଷିତ କରିଥିଲେ | ଏଥିସହିତ ବଡ ଭାଇ ଅରୁଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଅରୁଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଡାକ୍ତର ସୂଚନା ଦେଇଥିଲେ। ସ୍ତ୍ରୀ ଓ ଦୁଇ ରୋଜଗାରିଆ ପୁଅକୁ ହରାଇ ବାପା ତ୍ରିନାଥ ଭାଙ୍ଗି ପଡ଼ିଛନ୍ତି। ଯେହେତୁ ସ୍ତ୍ରୀଙ୍କ ଏକାଦଶାହରେ ସାନପୁଅ ଏବଂ ଦ୍ବାଦଶାହରେ ବଡ଼ପୁଅର ଏଭଳି ମୃତ୍ୟୁ ସହ୍ୟ କରିପାରୁ ନାହାନ୍ତି ତ୍ରିନାଥ।
ଏନେଇ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏଏସ୍ଆଇ ମନୋଜ ସିଂ ମାମଲା ନଂ.୪୨୯/୨୫ ଅନୁଯାୟୀ ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି | କିନ୍ତୁ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ରହିଛନ୍ତି। ପୋଲିସ ବୁଧବାର ସକାଳୁ ଅଜୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲା। ଅପରାହ୍ନ ଗୋଟାଏ ସମୟରେ ମୃତଦେହ ଗ୍ରାମରେ ପହଞ୍ଚିବାର କିଛି ସମୟ ମଧ୍ୟରେ ବଡ଼ଭାଇ ଅରୁଣଙ୍କ ମୃତ୍ୟୁ ଖବର ଗ୍ରାମରେ ପଂହଁଚିଥିଲା | ଏହାପରେ ଗ୍ରାମରେ ଶୋକାଛାୟା ଖେଳିଯାଇଥିଲା | ବିଳମ୍ବିତ ସନ୍ଧ୍ୟାରେ ଅରୁଣଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ସହ ଗାଁ ଶ୍ମଶାନରେ ଗୋଟିଏ ଜୁଇରେ ଦୁଇଭାଇଙ୍କ ଅନ୍ତିମ ସଂସ୍କାର ହୋଇଥିଲା। ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ରେଡ୍କ୍ରସ ପାଣ୍ଠିରୁ ୬୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି।

