ଶୀତର ପ୍ରକୋପରେ ଥରୁଛି ଓଡ଼ିଶା…
ଭୁବନେଶ୍ବର: ସାରା ରାଜ୍ୟରେ ଏବେ ଲାଗିରହିଛି ଥଣ୍ଡାର ପ୍ରକୋପ। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରବଳ ଥଣ୍ଡା। ସନ୍ଧ୍ୟା ହେଲା ମାତ୍ରେ ଜାଡ଼ରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । କନ୍ଧମାଳ ଜିଲ୍ଲାରେ ଗତକାଲି ଠାରୁ ଆଜି ୧.୪ ଡିଗ୍ରି ପାରଦ ହ୍ରାସ ପାଇ ୭.୪ ଡିଗ୍ରି ରେକର୍ଡରେ ପହଞ୍ଚିଛି ।
ତେବେ ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡା ତାର ରାଜୁତି ଆରମ୍ଭ କରିଦେଉଛି । ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି ।ଝାରସୁଗୁଡ଼ାରେ ଥଣ୍ଡା ୭୧ ବର୍ଷର ରେକର୍ଡ ଭାଙ୍ଗିଛି । ଏଠାରେ ୮.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଏହା ନଭେମ୍ବରରେ ରେକର୍ଡ ହୋଇଥିବା ସବୁଠାରୁ କମ୍ ତାପମାତ୍ରା ।
ଆଗାମୀ ଦିନରେ ପାରଦ ଆହୁରି ତଳମୁଁହା ହେବା ସହ ଥଣ୍ଡା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଏପଟେ ଶୀତର ମଜା ନେବାକୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ଭିଡ଼ ଜମାଉଛନ୍ତି। ଗତ ୪ ଦିନରେ ୭ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି। ୧୫ ଡିଗ୍ରୀ ତାପମାତ୍ରାରୁ ଶୁକ୍ରବାର ସକାଳ ସୁଦ୍ଧା ୮. ୫ ଡିଗ୍ରୀରେ ପହଞ୍ଚିଛି। ସେହିପରି ଜି. ଉଦୟିଗିରିରେ ତାପମାତ୍ରା ୭.୪ ଡ଼ିଗ୍ରୀ ରେକର୍ଡ ହୋଇଥିବାବେଳେ ରାଉରକେଲା ୭.୭, ସେମିଳିଗୁଡ଼ା ୮.୬ ଓ କିରେଇ ୯.୩ ଡିଗ୍ରୀ ରେକର୍ଡ କରାଯାଇଛି ।

