Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ଲାନ ପ୍ରସ୍ତୁତିରେ ଗୁରୁତର ତ୍ରୁଟି ରାସ୍ତା–ବ୍ରିଜ ଦିଗ ଭିନ୍ନ ଭିନ୍ନ, ପ୍ରତିବନ୍ଧକ ସାଜିଛି ରୟତି ଜମି

ଝାରସୁଗୁଡ଼ା ୨୮/୧୧ (ଓଡ଼ିଶା ନ୍ୟୁଜ୍): କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ପିଚୁ ପକ୍କା ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ରାଶି ଯୋଗାଇ ଦେଉଛନ୍ତି। ହେଲେ କାର୍ଯ୍ୟ ନିର୍ବାହୀ ସଂସ୍ଥାର ତ୍ରୁଟିଯୁକ୍ତ ପ୍ଲାନ–ଇଷ୍ଟିମେଟର ଯୋଗୁଁ ବର୍ଷ ବର୍ଷ ଧରି କାମ ସମ୍ପୂର୍ଣ୍ଣ ହୋଇ ପାରୁନଥିବା ଅଭିଯୋଗ ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳରେ, ଯେଉଁଠି ନିର୍ମାଣଧିନ ବ୍ରିଜ ଓ ରାସ୍ତାର ମଧ୍ୟରେ ଦିଗ ଅସମାଞ୍ଜସ୍ୟ ଯୋଗୁଁ ପ୍ରକଳ୍ପ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି କାମ ଅଧାରେ ଅଟକି ରହିଛି ।
ସୂଚନା ଯୋଗ୍ୟ ଯେ,ଲଖନପୁର ବ୍ଲକ୍ ନାଚେନମୁରା–ଟେଙ୍ଗେନାମାଲ ରାସ୍ତା (ଭାୟା ସୁଖାଡିହି–ମଚିଦା) ପାଇଁ ୨୦୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମଜିଏସୱାଇ) ରୁ ୨୫୯.୭୪ ଲକ୍ଷ ଟଙ୍କା ମଞ୍ଜୁରି ମିଳିଥିଲା। ପ୍ଲାନ ପ୍ରସ୍ତୁତି ଠାରୁ କାମ ହସ୍ତାନ୍ତର ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ନ୍ୟସ୍ତ ଥିଲା । ଟେଣ୍ଡର ପ୍ରକ୍ରିୟା ପରେ ଏକ ଠିକାସଂସ୍ଥା କାମ ନେଇଥିଲା ଓ ରାସ୍ତା କାର୍ଯ୍ୟ ପ୍ରାୟ ଅନ୍ତିମ ପର୍ଯ୍ୟାୟକୁ ମଧ୍ୟ ପହଞ୍ଚିଥିଲା । କିନ୍ତୁ ଦର୍ରିଢିପା ଗାଁ ନିକଟରେ ଥିବା ନାଳା ଉପରେ ବ୍ରିଜ କାମ ସମ୍ପୂର୍ଣ୍ଣ ହେବା ସତ୍ତେ ଗୁରୁତର ସମସ୍ୟା ସାମ୍ନାକୁ ଆସିଛି । ବ୍ରିଜଟି ପୂର୍ବ–ପଶ୍ଚିମ ଦିଗରେ ନିର୍ମାଣ ହୋଇଥିବା ବେଳେ ରାସ୍ତା ଉତ୍ତର–ଦକ୍ଷିଣ ଦିଗରେ ରହିଛି । ଦିଗ ଅସମାଞ୍ଜସ୍ୟ ସହ ଦୁଇ ପାର୍ଶ୍ୱରେ ରୟତି ଚାଷଜମି ଥିବାରୁ ସଂଯୋଗ କରିବା ସମ୍ଭବ ହୋଇ ପାରୁନାହିଁ । ଫଳରେ ୨ ବର୍ଷରୁ ଅଧିକ ସମୟ ଧରି ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅଧୁରା ଅବସ୍ଥାରେ ପଡ଼ି ରହିଛି । ବର୍ତ୍ତମାନ ଧାନ ଅମଳ ସମୟରେ ଚାଷୀଙ୍କ ଠାରୁ ଆରମ୍ଭ କରି ଜନ ସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି। ତେଣୁ ସମସ୍ୟାର ସମାଧାନ କରି ଉକ୍ତ ରାସ୍ତାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଲୋକ ଦାବି କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ