ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ଲୋକପ୍ରିୟତା ପଛରେ ନ ଧାଇଁ କର୍ତ୍ତବ୍ୟବୋଧକୁ ପ୍ରାଧାନ୍ୟ ଦେବାକୁ ଆହ୍ଵାନ
ଝାରସୁଗୁଡ଼ା, ୧୬/୧୧ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରେସ୍ କ୍ଲବର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମ ଠାରେ ଜିଲ୍ଲା ସ୍ତରୀୟ ‘ଜାତୀୟ ପ୍ରେସ୍ ଦିବସ-୨୦୨୬’ ମହାସମାରୋହରେ ପାଳିତ ହୋଇ ଯାଇଛି। ଚଳିତ ବର୍ଷର ବାର୍ତ୍ତା “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ଅତିଥି ମାନେ ସାମ୍ପ୍ରତିକ ସମୟରେ ଚାଞ୍ଚଲ୍ୟକର ଖବର ପରିବେଷଣ ଅପେକ୍ଷା ତଥ୍ୟଭିତ୍ତିକ, ବିଶ୍ୱସନୀୟ ଏବଂ ଦାୟିତ୍ୱ ବୋଧକ ସାମ୍ବାଦିକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦିଲୀପ କୁମାର ପ୍ରଧାନ, ଜିଲ୍ଲା ପ୍ରେସ୍ କ୍ଲବ ସଭାପତି ପ୍ରଶାନ୍ତ ମହାନ୍ତି ଓ ବରିଷ୍ଠ ନାଗରିକ ସଂଘର ସଭାପତି ବାଳଗୋବିନ୍ଦ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ଡ. ସ୍ୱର୍ଣ୍ଣମୟୀ ପୁରୋହିତ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକ ମାନେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଏକ ମଜବୁତ ସେତୁ ପରି କାର୍ଯ୍ୟ କରୁଛନ୍ତି। ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଡିଜିଟାଲ୍ ଯୁଗରେ ଖବରର ଦ୍ରୁତ ପ୍ରସାରଣ ମଧ୍ୟରେ ସତ୍ୟତା ଓ ବିଶ୍ୱସନୀୟତା ବଜାୟ ରଖିବା ହିଁ ଜଣେ ପ୍ରକୃତ ସାମ୍ବାଦିକର ପରିଚୟ ବୋଲି ଉଲ୍ଲେଖ କରିଥିଲେ। ଜିଲ୍ଲା ପ୍ରେସ୍ କ୍ଲବ ସଭାପତି ଶ୍ରୀ ମହାନ୍ତି କ୍ଷଣସ୍ଥାୟୀ ଲୋକପ୍ରିୟତା ପଛରେ ନଧାଇଁ ସାମ୍ବାଦିକ ମାନେ ନିଜର ସାମାଜିକ କର୍ତ୍ତବ୍ୟବୋଧକୁ ସର୍ବଦା ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଡ. ପୁରୋହିତ ତୃଣମୂଳ ସ୍ତରର ବିକାଶ ମୂଳକ ଯୋଜନା ଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ସକାରାତ୍ମକ ଭୂମିକାକୁ ପ୍ରଶଂସା କରିବା ସହ ସାମ୍ବାଦିକ ମାନଙ୍କ ନିର୍ଭୀକ ଓ ନିରପେକ୍ଷ କଲମ ଚାଳନା ସମାଜକୁ ସଠିକ୍ ଦିଗଦର୍ଶନ ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଶର୍ମା, ଜୀବନ କୁମାର ମହାନ୍ତି, ମହେନ୍ଦ୍ର କୁମାର ସାଏ, ଭୂପାଳ ଚନ୍ଦ୍ର ବେହେରା, ଉମାକାନ୍ତ ପଣ୍ଡା ଏବଂ ପ୍ୟାରେଲାଲ ଶ୍ରୀବାସ୍ତବ ପ୍ରମୁଖ ଅଂଶଗ୍ରହଣ କରି ସାମ୍ବାଦିକତାର ଆହ୍ୱାନ ଓ ଦାୟିତ୍ୱବୋଧ ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଏଥିସହ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଛାତ୍ରୀ ମାମିନା ମିଞ୍ଜ ସାମ୍ବାଦିକତାର ଭୂମିକା ଉପରେ ନିଜର ଅଭିଭାଷଣ ରଖିଥିଲେ।
ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ‘ସଏଲତା ଡ୍ୟାନ୍ସ ଏକାଡେମୀ’ର ସ୍ୱେଜଲ ପ୍ରଧାନଙ୍କ ତତ୍ତ୍ୱାବଧାନରେ କୁନିକୁନି କଳାକାର ମାନେ ମନୋମୁଗ୍ଧକର ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ବେହେରାମାଲ ଆଶ୍ରମ ସ୍କୁଲର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ପାରମ୍ପରିକ ଆଦିବାସୀ ନୃତ୍ୟ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ଏହି ଅବସରରେ କଳାକାରମାନଙ୍କୁ ଉତ୍ତରୀୟ, ପୁଷ୍ପଚାରା ଓ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା।
ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ନିହାଲ୍ ଭୋଇ, ମନବୋଧ ବଗର୍ତ୍ତି, ରବିନ୍ଦ୍ର ନିଆଲ, ସୁନୀତା ଗନ୍ଧା, ଜଗନ୍ନାଥ ରାଉତ ଏବଂ ରାମଚନ୍ଦ୍ର ବଇଠା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

