Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି-୨୦୨୭’ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି-୨୦୨୭’ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
ଝାରସୁଗୁଡ଼ା, ୧୮/୧୧ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରଚାର ପ୍ରସାର ଏବଂ ଜିଲ୍ଲାର ସାଂସ୍କୃତିକ ଗୌରବକୁ ଲୋକ ଲୋଚନକୁ ଆଣିବା ଲକ୍ଷ୍ୟରେ ଆଗାମୀ ଜିଲ୍ଲା ମହୋତ୍ସବ ‘ଦୁଲଦୁଲି-୨୦୨୭’ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସଭାଗୃହରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ମହୋତ୍ସବର ପ୍ରାଥମିକ ରୂପରେଖ, ସଫଳ ଆୟୋଜନ ଓ ପରିଚାଳନା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତିକାନ୍ତି ବଳିୟାରସିଂହ ଅତିଥି ଓ ସଦସ୍ୟ ମାନଙ୍କୁ ସ୍ୱାଗତ କରିବା ସହ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ମହୋତ୍ସବ ସମ୍ପର୍କିତ ତଥ୍ୟ ଓ ବିଭିନ୍ନ କମିଟିର କାର୍ଯ୍ୟଧାରା ଉପସ୍ଥାପନ କରିବା ସହ ସୁଚାରୁ ରୂପେ ବୈଠକ ପରିଚାଳନା କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ‘ଦୁଲଦୁଲି-୨୦୨୭’କୁ ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ମଞ୍ଚ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ଏହି ମହୋତ୍ସବର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ।
ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ଲଳିତ ସୋରେନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ପ୍ରଧାନ ଓ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ପ୍ରମୁଖ ଯୋଗଦେଇ ନିଜର ମୂଲ୍ୟବାନ ମତାମତ ରଖିଥିଲେ।
ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ନୱଲ ଅଗ୍ରୱାଲ, ସାଂସଦଙ୍କ ପ୍ରତିନିଧି ଶ୍ଳୋକ ସର୍ଣ୍ଣା, ଝାରସୁଗୁଡ଼ା ବିଧାୟକଙ୍କ ପ୍ରତିନିଧି ବଲବିନ୍ଦର ସିଂ, ଜିଲ୍ଲା କଳା ସଂସ୍କୃତି ସଂଘର ଉପ-ସଭାପତି ସୁରଙ୍ଗ ପଧାନ, ଝାରସୁଗୁଡ଼ା ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଗଜରାଜ ପ୍ରଧାନ, ରକ୍ତଦାତା ସଂଘର ସଦସ୍ୟ ରାଜେଶ ପାଢ଼ୀ, ସାମ୍ବାଦିକ ରିତେଶ ଶର୍ମାଙ୍କ ସମେତ ଦୁଲଦୁଲି ସୋସାଇଟିର ପଞ୍ଜୀକୃତ କମିଟି ସଦସ୍ୟ, ପୋଲିସ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରିତିକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories