Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ୨୦୨୭ରେ ମହିମା ଧର୍ମର ୨୦୦ ବର୍ଷ ପୂର୍ତ୍ତି, ମହା ଆଡମ୍ବରରେ ହେବ ପଞ୍ଚଗାଁ-ବିଜାପାଲି ଆଶ୍ରମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ, ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ ପାଇଁ ବୈଠକରେ ନିଷ୍ପତି

ଝାରସୁଗୁଡ଼ା ୪/୧୧ (ଓଡ଼ିଶା ନ୍ୟୁଜ୍): ଆଗାମୀ ୨୦୨୭ ନବବର୍ଷରେ ମହିମା ଧର୍ମ ୨୦୦ ବର୍ଷରେ ପଦାର୍ପଣ କରୁଛି। ଏହି ପୂର୍ତ୍ତି ତଥା ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ-ବିଜାପାଲି ସ୍ଥିତ ମହିମା ଆଶ୍ରମରେ ୪୨ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଲୀଳା ମହା ସମାରୋହରେ ପାଳନ କରାଯିବ। ଏନେଇ ଆସନ୍ତା ୨୦୨୭ ଜାନୁଆରୀ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ତିନିଦିନିଆ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନିଆ ଯାଇଛି। ଏହି ଆଧ୍ୟାତ୍ମିକ ମହାକୁମ୍ଭରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ନେଇ ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି।
ମହିମା ଆଶ୍ରମର ପୁରୋଧା ବ୍ରହ୍ମାବଧୂତ ବିରେନ୍ଦ୍ର ବାବାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ପଞ୍ଚଗାଁ-ବିଜାପାଲି ମହିମା ଆଶ୍ରମ ପରିସରରେ କମିଟିର ସଭାପତି ସନତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଆଶ୍ରମର ପ୍ରତିଷ୍ଠାତା ବ୍ରହ୍ମଲୀନ ବ୍ରହ୍ମାବଧୂତ ବୈଷ୍ଣବ ଚରଣ ବାବାଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାପତି ଶ୍ରୀ ସିଂହ ବୈଠକର ଉଦ୍ଦେଶ୍ୟ ଏବଂ ଆଗାମୀ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରି ମହିମା ଧର୍ମର ଦୁଇ ଶହ ବର୍ଷ ପୂର୍ତ୍ତି ଉତ୍ସବକୁ ଅତି ବ୍ୟାପକ ଓ ଆକର୍ଷଣୀୟ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ବ୍ରହ୍ମାବଧୂତ ବିରେନ୍ଦ୍ର ବାବା ଫୋନ୍‌ ଯୋଗେ ଉପସ୍ଥିତ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ଶାନ୍ତି, ଶୃଙ୍ଖଳା ଓ ସମନ୍ୱୟର ସହ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଆଶ୍ରମର ସାଧୁ କାହ୍ନା ବାବା ମହିମା ଧର୍ମର ମୂଳତତ୍ତ୍ୱ, ଆଦର୍ଶ ଓ ଆଧ୍ୟାତ୍ମିକ ଦର୍ଶନ ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଆୟୋଜନ କରିବାକୁ ମତ ରଖିଥିଲେ। ଆଲୋଚନା ଚକ୍ର ସହିତ ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଲୀଳାକୁ ସଫଳ କରିବା ନିମନ୍ତେ ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି ବୈଠକରେ ବହୁ ସଂଖ୍ୟାରେ ସାଧୁସନ୍ଥ, ବୁଦ୍ଧିଜୀବୀ, କମିଟିର କର୍ମକର୍ତ୍ତା ଓ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories