କୂଅରୁ ମିଳିଲା ଯୁବକଙ୍କ ମୃତଦେହ; ପରିବାର ଲୋକ କଲେ ହତ୍ୟା ଅଭିଯୋଗ
କଣ୍ଟାବାଞ୍ଜି,୨୯|୧୧: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୁରୋମାଳ ଗାଁର ଏକ ଚାଷ ଜମିରେ ଥିବା କୂଅରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକ ଜଣକ ହେଉଛନ୍ତି ସୁରେନ୍ଦ୍ର ଭାଟି। ସୁରେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଚକିତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା | ତାଙ୍କ ହାତରେ ଦଉଡ଼ି ବନ୍ଧା ଯାଇଥିବା ବେଳେ ଦଉଡ଼ିଟି ଏକ ବଡ଼ ପଥରରେ ବନ୍ଧା ହୋଇଥିବାର ଦେଖିବାକୁ ମିଳିଛି। ତେବେ ଏଭଳି ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହା ଏକ ହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ପରିବାର ଲୋକ ମଧ୍ୟ ହତ୍ୟା ହୋଇଥିବାର ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ସୁରେନ୍ଦ୍ର ଭାଟି ସକାଳେ ଗାଁରେ ଗାଈ ଚରାଉଥିବାର ଘର ଲୋକ ଦେଖିଥିଲେ। କିଛି ଘଣ୍ଟା ପରେ ଗାଁରେ ବହୁ ଖୋଜାଖୋଜି ପରେ ସୁରେନ୍ଦ୍ରର ସନ୍ଧାନ ନ ପାଇବାରୁ ଶେଷରେ କଣ୍ଟାବାଞ୍ଜି ଥାନାରେ ନିଖୋଜ ହେବାର ଏତଲା ଦେଇଥିଲେ। ତେବେ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପରେ ପରିବାର ଲୋକ ଗାଁର ଜଣକ ଚାଷ ଜମିରେ ଥିବା କୂଅରେ ସୁରେନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ଜାଣି ପୁଲିସକୁ ଖବର ଦେଇଥିଲେ।
ତେବେ ଦମକଳ ବାହିନୀର ସହଯୋଗରେ ପୁଲିସ ଶବକୁ କୂଅ ଭିତରୁ ଉଦ୍ଧାର କରିଥିବା ସୂଚନା ରହିଛି। ହେଲେ ଶବର ହାତରେ ଦଉଡ଼ି ଏବଂ ସେହି ଦଉଡ଼ି ପଥରରେ ବନ୍ଧା ଥିବା ଯୋଗୁ କିଏ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ କରୁଥିବାର ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ|

