Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିଠି ମାଧ୍ୟମରେ ରାଜକ୍ଷମା ମାଗିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ;୦୧|୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଚାଲିଛି ମାମଲା | ତାଙ୍କ ନାମରେ ଦୀର୍ଘ ଦିନ ଧରି ଦୁର୍ନୀତି ମାମଲା ବିଚାରାଧୀନ ରହିଛି। ଏହି ପ୍ରସଙ୍ଗରେ ରାଜକ୍ଷମା ପ୍ରଦାନ କରିବାକୁ ନେତାନ୍ୟାହୁ ଏହାମଧ୍ୟରେ ରାଷ୍ଟ୍ରପତି ଆଇଜାକ୍‌ ହେର୍ଜୋଗଙ୍କୁ ଚିଠି ଲେଖିଥିଲେ | ସେ ଏହି ଚିଠି ମାଧ୍ୟମରେ ଅନୁରୋଧ କରିଥିବା ଜଣାପଡିଛି। ସେହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ବିବାଦୀୟ। ପ୍ରଧାନମନ୍ତ୍ରୀ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରୁଥିବାରୁ ମାମଲାର ଶୁଣାଣି ଓ ରାୟ ଦେଶ ପାଇଁ ସମସ୍ୟା ସୃଷ୍ଟି କରିପାରେ। ପୁନଶ୍ଚ ଏହି ମାମଲାକୁ ନେଇ ଇସ୍ରାଏଲ ବର୍ତ୍ତମାନ ଦୁଇ ଦଳ ଭାବରେ ବିଭାଜିତ ହୋଇଛନ୍ତି |

ନେତାନ୍ୟାହୁଙ୍କ ସମର୍ଥକମାନେ ଦୁର୍ନୀତି ଅଭିଯୋଗକୁ ଉଦ୍ଦେଶ୍ୟ ପ୍ରଣୋଦିତ କହୁଥିବାବେଳେ ସମାଲୋଚକମାନେ ତାଙ୍କୁ ଦଣ୍ଡିତ କରାଯାଉ ବୋଲି ଜିଦ କରୁଛନ୍ତି। ପ୍ରାୟ ଦୁଇବର୍ଷ ଧରି ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଛି | କିନ୍ତୁ ଏପଯ୍ୟନ୍ତ ଏହାର କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନାହିଁ। ଏଭଳି ପରିସ୍ଥିତିରେ ଦେଶକୁ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀର ଆବଶ୍ୟକତା ରହିଛି। ତେଣୁ ରାଜକ୍ଷମା ପ୍ରଦାନ କରାଗଲେ ଏହି ବିବାଦର ସମାଧାନ ହୋଇପାରିବ | ଦେଶରେ ଆଭ୍ୟନ୍ତରୀଣ ଶାନ୍ତି ସୁଦୃଢ ହୋଇପାରିବ ବୋଲି ନେତାନ୍ୟାହୁ ଯୁକ୍ତି ଦର୍ଶାଇଛନ୍ତି। ଅପରପକ୍ଷରେ ଆଇନଗତ ପ୍ରସଙ୍ଗକୁ ତର୍ଜମା କରାଯିବାପରେ ରାଜକ୍ଷମା ଆବେଦନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ