ଅଧିବେଶନ ଆରମ୍ଭକୁ ନେଇ ମୋଦୀ ଗଣମାଧ୍ୟମରେ ରଖିଲେ ନିଜର ପ୍ରତିକ୍ରିୟା; “ସଂସଦରେ ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ”
ନୂଆଦିଲ୍ଲୀ;୦୧|୧୨ : ଆଜିଠୁ ଆରମ୍ଭ ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସବୁ ଦଳକୁ ଅଧିବେଶନ ମଧ୍ୟରେ ସହଯୋଗ କରିବାକୁ ମୋଦୀ ନିବେଦନ କରିଛନ୍ତି । ଗୃହ କାର୍ଯ୍ୟରେ ବାଧା ନଦେବାକୁ ବିରୋଧୀଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେ, “ସଂସଦରେ ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ”। ଡ୍ରାମା କରିବା ପାଇଁ ବହୁତ ସ୍ଥାନ ରହିଛି, ସେଠାରେ କର, ଏଠାରେ କର ନାହିଁ । ଯେଉଁଠାରେ ହାରିଛନ୍ତି ସେଠାରେ ଯାଇକି କରନ୍ତୁ ବୋଲି ମୋଦୀ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି । ଏହି ଅଧିବେଶନରେ ୧୫ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବାର ସମ୍ଭାବନା ରହିଛି।
ପରାଜୟର ନିରାଶାରୁ ବାହାରିବା ପାଇଁ ବିରୋଧୀ ଦଳକୁ ଅପିଲ୍ କରିଛନ୍ତି ମୋଦୀ । କିଛି ବିରୋଧୀ ଦଳ ସେମାନଙ୍କ ପରାଜୟକୁ ସ୍ୱୀକାର କରିପାରୁନାହାଁନ୍ତି | ପରାଜୟ ହୋଇଥିବା ଦଳ ନିଜର ସବୁ ରାଗ, କ୍ରୋଧକୁ ସେମାନେ ସଂସଦରେ ଆସି ସୁଝାନ୍ତି । ପରାଜୟର ଭୟ ଏଠି ବିତର୍କର କ୍ଷେତ୍ର ନହେଉ ବୋଲି ମୋଦୀ କହିଛନ୍ତି । ଡ୍ରାମା କରିବାକୁ ଅନେକ ସ୍ଥାନ ରହିଛି, ଏଠି ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ । ସେହିପରି ନାରାବାଜୀ ପାଇଁ ମଧ୍ୟ ଅନେକ ସ୍ଥାନ ରହିଛି, ଏଠି ନାରାବାଜି ନକରି ନୀତି ଓ ଦେଶ ଗଠନରେ ସକରାତ୍ମକ ଭୂମିକାର ଆବଶ୍ୟକ ରହିଛି ବୋଲି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ନିଶାନା କରି କହିଛନ୍ତି ।

