ବିଧାନସଭାରେ ସଂକଳ୍ପ ପତ୍ର ଚିରିବା ସହ କକ୍ଷ ତ୍ୟାଗ କଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ୱର;୨|୧୨: ବର୍ତ୍ତମାନ ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲିଛି | ଏହି ଅଧିବେଶନରେ ବିଭିନ୍ନ ସମ୍ବେଦନଶୀଳ ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି | କାଲି ଏହି ଅଧିବେଶନରେ ଉଭୟ ପୂର୍ବତନ ଏବଂ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ଥିଲେ | ଏହି ଅଧିବେଶନରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂକଳ୍ପ ପତ୍ରକୁ ଚିରି ଫିଙ୍ଗିଦେଇଥିଲେ। ସଂକଳ୍ପ ପତ୍ର ଚିରିବା ସହ ବିଜେଡି ଓ କଂଗ୍ରେସ ସଦସ୍ୟ କକ୍ଷ ତ୍ୟାଗ କରିଥିଲେ । ଜଳ ନିୟନ୍ତ୍ରଣ ଓ ନିବାରଣ ସଂକଳ୍ପ ସମୟରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତି ଉତ୍ତର ରଖିଥିଲେ । କିନ୍ତୁ ଏହାକୁ ପ୍ରତିବାଦ କରିବା ସହ ସଂକଳ୍ପ ପତ୍ରକୁ ଚିରି ଫୋପାଡ଼ି ଦେଇଥିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଗତକାଲି ବିଧାନସଭାରେ ମୁହାଁମୁହିଁ ହୋଇଥିଲେ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଉ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ । ନିଜ ନିଜର ନିର୍ବାଚନମଣ୍ଡଳୀରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମୁହାଁ ମୁହିଁ ହୋଇଥିଲେ ଏହି ଦୁଇ ନେତା । ତେବେ କାଲିର ଏହି ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ ସୋନପୁରରେ DHHର ନିର୍ମାଣ ଶୈଳୀ ଦେଶର ଦ୍ଵିତୀୟ ସ୍ଥାନରେ ରହିଛି | କିନ୍ତୁ ସେଠାରେ ଡାକ୍ତର ଉପସ୍ଥିତ ନାହାନ୍ତି । ମନ୍ତ୍ରୀ ନିଜ ଏରିଆକୁ ଭଲ ଡାକ୍ତର ବଦଳି କରି ନେଇଯାଉଛନ୍ତି । ଯେଉଁ କାରଣରୁ ଅନେକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ।
ଏହି ବାବଦରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଜର ଉତ୍ତର ରଖିଛନ୍ତି | ସେ କହିଛନ୍ତି ଯେ , ବିଜେଡି ସରକାର ୨୪ ବର୍ଷ ଧରି କ୍ଷମତାରେ ଥିବାବେଳେ ବିଜେପି ସରକାର ଏବେ ନୂଆକରି ଉତ୍ତରାଧିକାରୀ ସୂତ୍ରରେ ସବୁ ସମସ୍ୟା ପାଇଛି । ପୂର୍ବ ସରକାରରେ ନିରଞ୍ଜନ ପୂଜାରୀ ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ । ରାଜ୍ୟରେ ମୋହନ ସରକାର ଆସିବାକୁ ମାତ୍ର ଦେଢ଼ ବର୍ଷ ହୋଇଛି । ଆଉ ଦେଢ଼ ବର୍ଷ ଭିତରେ ସ୍ପେସିଆଲିଷ୍ଟ ଡାକ୍ତର ତିଆରି ହୋଇପାରିବେ ନାହିଁ । ଏହାସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ୫ ହଜାର ୧୯୫ ମେଡିକାଲ୍ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତ ହୋଇଛନ୍ତି । କିନ୍ତୁ ସ୍ପେସିଆଲିଷ୍ଟ ଡାକ୍ତର ଅଭାବ ରହିଛି| ଆଗାମୀ ଦିନରେ ପଦବୀ ପୂରଣ କରାଯିବ ବୋଲି କହିବା ସହିତ ବିଜେଡି ବିଧାୟକଙ୍କୁ ଜବାବ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

