୩ କୋଟି ୪୦ଲକ୍ଷ ଭୁବନେଶ୍ବର ଏମ୍ସକୁ ଦାନ କଲେ ମହିଳା ଡାକ୍ତର; ସଞ୍ଚିତ ଅର୍ଥରେ ହେବ ମହିଳାଙ୍କ କର୍କଟ ଚିକିତ୍ସା
ବ୍ରହ୍ମପୁର,୨|୧୨: ରୋଗୀ ମାନଙ୍କ ସେବା ପାଇଁ ଦାନ କଲେ କୋଟି କୋଟି ଟଙ୍କା | ଜୀବନ ଟା ଯାକ ଡାକ୍ତରଖାନାରେ ରୋଗୀ ଦେଖିବାରେ ବିତିଗଲା | ବ୍ରହ୍ମପୁର ଡାକ୍ତରଖାନାରେ ସେ ଡାକ୍ତରୀ ସେବାରେ ନିଯୁକ୍ତ ଥିଲେ | ତେବେ ପରିଣତ ବୟସରେ ପହଁଚିଥିବା ଏହି ଡାକ୍ତର ଜଣଙ୍କ ହେଉଛନ୍ତି ବ୍ରହ୍ମପୁରର ଶତାୟୁ ଡାକ୍ତର ପ୍ରଫେସର ଲକ୍ଷ୍ମୀବାଇ | ବୟସ ଅଧିକ ହେଲେ ମଧ୍ୟ ତାଙ୍କର ଡାକ୍ତରୀ ସେବା ଏବଂ ରୋଗୀ ମାନଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟ ନିଷ୍ଠାର ସହିତ ପାଳନ କରିବା ପାଇଁ ଆଜି ବି ଚେଷ୍ଟା ଚଲେଇଛନ୍ତି । ପରିଣତ ବୟସରେ ସେଇ ରୋଗୀ ସେବା ପାଇଁ ଦାନ କରିଦେଲେ ସାଢ଼େ ୩ କୋଟି ଟଙ୍କା । ଯାହାଙ୍କ ଜୀବନବ୍ୟାପୀ ସଞ୍ଚିତ ଅର୍ଥରେ ଭୁବନେଶ୍ୱର ଏମ୍ସରେ ହେବ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର ।
ବୟସ ଶହେ ଛୁଇଁବାକୁ ଆଉ ମାତ୍ର ଅଳ୍ପ ଦିନ ଅଛି । ହେଲେ ଏବେ ବି ସେ ସୁସ୍ଥ, ନିରୋଗ । ବ୍ରହ୍ମପୁରର ମେଡିକାଲର ଅବସରପ୍ରାପ୍ତ ଡାକ୍ତରାଣୀ ହେଉଛନ୍ତି ଲକ୍ଷ୍ମୀବାଇ।ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଭାବେ ତାଙ୍କର ବେଶ୍ ଖ୍ୟାତି ରହିଛି । ଡିସେମ୍ବର ୫ରେ ଶହେ ବର୍ଷରେ ପାଦ ଥାପିବେ | ତେବେ ଏହି ଅବସରରେ ସେ ନେଇଛନ୍ତି ଏକ ମହତ୍ ନିଷ୍ପତ୍ତି । ନିଜ ସଞ୍ଚିତ ୩ କୋଟି ୪୦ଲକ୍ଷ ଟଙ୍କାକୁ ସେ ଭୁବନେଶ୍ବର ଏମ୍ସକୁ ଦାନ କରିଛନ୍ତି । ଏହି ଅର୍ଥରେ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର ହେବା ସହ ରୋଗୀ ଉପକୃତ ହୋଇପାରିବେ । ଯାହା ତାଙ୍କୁ ଆତ୍ମସନ୍ତୋଷ ଦେବ ବୋଲି କହିଛନ୍ତି ଡାକ୍ତର ଲକ୍ଷ୍ମୀବାଇ ।
ଡାକ୍ତର ଲକ୍ଷ୍ମୀବାଇ ହେଉଛନ୍ତି କଟକ ଏସ୍ସିବିର ପ୍ରଥମ ବ୍ୟାଚ୍ ର ଛାତ୍ରୀ । ୧୯୪୫ରୁ ୧୯୫୦ ଯାଏଁ ଏସ୍ସିବି ପରେ, ୧୯୫୮ରେ ମାଡ୍ରାସ୍ରେ ପାଠପଢ଼ା । ତା’ ପୂର୍ବରୁ ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସପିଟାଲରୁ ଆରମ୍ଭ ହୋଇଥିଲା ତାଙ୍କର ଚାକିରୀ ଜୀବନ । ୧୯୮୬ରେ ଏମ୍କେସିଜି ହସ୍ପିଟାଲରୁ ଅବସର ନେଇଥିଲେ । ତେବେ ଅବସର ନେବାର ପ୍ରାୟ ୪ଦଶନ୍ଧି ପରେ ବି, ତାଙ୍କ ମନରୁ ଲିଭିନି ମାନବ ସେବା ମନୋଭାବ । ଭୁବନେଶ୍ୱର ଏମ୍ସକୁ ସେ ନିଜର ସର୍ବସ୍ୱ ଦାନ କରିବା ପରେ ତାଙ୍କୁ ଛାତ୍ରଛାତ୍ରୀମାନେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

