କଟକରେ ଭଙ୍ଗା ହେବ ସମସ୍ତ ବିପଦ ଶଂକୁଳ କୋଠା: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
କଟକ,୨|୧୨: କିଛିଦିନ ତଳେ କଟକରେ ଏକ ପୁରୁଣା କୋଠାର ବାଲକୋନି ଭୁଶୁଡିବା ଘଟଣାରେ କିଛି ଲୋକ ଆହତ ହେବା ସହିତ ଏକ ଦମ୍ପତ୍ତି ଏବଂ ତାଙ୍କର ପାଞ୍ଚ ବର୍ଷର ଛୁଆର ମୃତ୍ୟୁ ଘଟିଥିଲା | ଘଟଣା ପରେ ରାଜ୍ୟ ରାଜନୀତି ଜୋର ଧରିଥିଲା । ତେବେ ଏହା ମଧ୍ୟରେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, କଟକରେ ଥିବା ସମସ୍ତ ବିପଦ ଶଂକୁଳ କୋଠା ଗୁଡିକ ଚିହ୍ନଟ କରାଯାଇ ଖୁବଶୀଘ୍ର ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ କରାଯିବ |
ଏନେଇ କୋଠାଗୁଡିକୁ ଚିହ୍ନଟ କରିବାକୁ ଏକ ବିଶେଷ କମିଟିର ଗଠନ କରାଯାଇଥିବା କଥା ମଧ୍ୟ ମନ୍ତ୍ରୀ କହିଛନ୍ତି । ଏହି କମିଟି କଟକ ମହାନଗର ଅଧିନରେ ଥିବା ସମସ୍ତ ବିପଦ ଶଂକୁଳ କୋଠାଗୁଡିକୁ ଚିହ୍ନଟ କରିବ । ଏବେ କମିଟିର ସଦସ୍ୟମାନେ ୱାର୍ଡରୁ ୱାର୍ଡ ବୁଲି ସର୍ଭେ କରୁଛନ୍ତି । ସର୍ଭେ କାମ ଶେଷ ହେଲେ ଚିହ୍ନଟ କରାଯାଇଥିବା କୋଠାଗୁଡିକର ମାଲିକମାନଙ୍କୁ ପ୍ରଥମେ ନୋଟିସ ଦେଇ ତା ପରେ ଭଙ୍ଗାଯିବ ।
ସୂଚନା ଅନୁସାରେ, ଗତ ନଭେମ୍ବର ୮ ତାରିଖରେ ମଣିସାହୁ ଛକ ହାଡିବନ୍ଧୁ ହାଇସ୍କୁଲ ନିକଟରେ ଏକ ପୁରୁଣା କୋଠାର ବାଲକୋନୀ ଭାଙ୍ଗିଯିବାରୁ କଟକ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ମଧ୍ୟ ହୋଇଥିଲେ ।
ସୂଚନା ଅନୁଯାୟୀ ଅଘଟଣ ଘଟିଥିବା ଏ ଆପାର୍ଟମେଣ୍ଟର ବିଲ୍ଡିଂ ଆପ୍ରୁଭାଲ୍ ନଥିଲା । ବେଆଇନ ଭାବେ ତିଆରି ହୋଇଥିଲା ୬ ମହଲା ବିଶିଷ୍ଟ କୋଠା । ତା ଛଡ଼ା ଆପାର୍ଟମେଣ୍ଟର ମାଲିକାନାକୁ ନେଇ ବି ବିବାଦ ଲାଗିରହିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କଟକରେ ରହିଛି ମାଳମାଳ ଅସୁରକ୍ଷିତ ବିଲ୍ଡିଂ । ଯେଉଁ ବିଲ୍ଡିଂ ଗୁଡିକର ମରାମତି ମଧ୍ୟ କରାଯାଉ ନାହିଁ | ସହରରେ ୨୨୧ଟି ବିପଦସଙ୍କୁଳ କୋଠା ଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ପ୍ରଶାସନ । ଏସବୁ ବିଲ୍ଡିଂ ୮ଟି ସରକାରୀ ସଂସ୍ଥା ଏବଂ ୨ ଜଣ ବ୍ୟକ୍ତି ବିଶେଷଙ୍କ ନାଁରେ ରହିଛି । ସେସବୁକୁ ଖାଲି କରିବା ସହ ଭାଙ୍ଗିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ମାତ୍ର ଏହା ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ। ପ୍ରଶ୍ନ ଉଠୁଛି ଯଦି ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି କୋଠା ଗୁଡିକରେ କିଛି ଅଘଟଣ ଘଟେ ତେବେ ଏଥିପାଇଁ କିଏ ଦାୟୀ ରହିବ?

