ଏଣିକି ଧାନମଣ୍ଡି ଜଗିବେ ମନ୍ତ୍ରୀ! ଦୁର୍ନୀତି ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ
ଭୁବନେଶ୍ୱର,୩|୧୨: ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ନେଇଛନ୍ତି ବଡ ପଦକ୍ଷେପ । ଏଣିକି ଧାନମଣ୍ଡି ଜଗିବେ ମନ୍ତ୍ରୀ | ଧାନମଣ୍ଡି ଉପରେ କଡା ନଜର ରଖିବେ ମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଜିଲ୍ଲା ଅନୁସାରେ ଦାୟିତ୍ୱ ବଣ୍ଟନ କରିଛନ୍ତି । ଏନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜର ଉତ୍ତର ରଖିଛନ୍ତି ।
ଧାନ ସଂଗ୍ରହ ସମୟରେ ବିଭାଗୀୟ ସମନ୍ବୟ ରକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ ଉପକମିଟି ଗଠନ କରାଯାଇଛି । ମଣ୍ଡିରେ ଧାନ ସଂଗ୍ରହକୁ ନେଇ ଯେପରି କୌଣସି ପ୍ରକାରର ବିଶୃଙ୍ଖଳା ନହୁଏ ଏବଂ ପଡୋଶୀ ରାଜ୍ୟରୁ ବେଆଇନ ଭାବେ ଧାନ ଓଡ଼ିଶା ମଣ୍ଡିକୁ ପ୍ରବେଶ ନକରେ, ସେଥିପାଇଁ ସୀମାନ୍ତରେ ସିସିଟିଭି କ୍ୟାମେରା ସହିତ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଛି | ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଲଗାଯିବା ସହ କଣ୍ଟ୍ରୋଲ ରୁମ୍’ର ବ୍ୟବସ୍ଥା ହୋଇଛି । ଯଦି କୌଣସି ସରକାରୀ ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ୨୦୨୫-୨୬ ବର୍ଷରେ ୧୯.୬୮ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ସରକାର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ମଣ୍ଡିରେ ‘କଟନି ଛଟନି’ ସମସ୍ୟାକୁ ଦୂର କରିବା ପାଇଁ ଆଧୁନିକ ମାନ ପରୀକ୍ଷା ଯନ୍ତ୍ର, ୧୪୦ଟି ଭ୍ରାମ୍ୟମାଣ ଧାନ ସଫେଇ ଯନ୍ତ୍ର ଏବଂ ୩୦୩ଟି ଏଆଇ (AI) ବେସଡ ଆନାଲାଇଜର ଯୋଗାଇ ଦିଆଯାଇଛି । କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀଙ୍କ ଠାରୁ ଧାନ କିଣାକୁ ପ୍ରାଥମିକତା ଦିଆଯିବ। ଅଦିନିଆ ବର୍ଷା ଯୋଗୁଁ କିଛି ସ୍ଥାନରେ ଧାନ ସଂଗ୍ରହ ବିଳମ୍ବିତ ହୋଇଛି । ତେବେ ଯଦି କୌଣସି ଚାଷୀ ନିର୍ଦ୍ଧାରିତ ଟୋକେନ ଅବଧି ମଧ୍ୟରେ ଧାନ ବିକ୍ରି କରିପାରିବେ ନାହିଁ, ତେବେ ଜିଲ୍ଲାପାଳମାନଙ୍କୁ ସେହି ସମୟସୀମାକୁ ଆଉ ୧୫ ଦିନ ବୃଦ୍ଧି କରିବାକୁ ମଧ୍ୟ କ୍ଷମତା ଦିଆଯାଇଛି ।

