ବିରୋଧୀଙ୍କ ପ୍ରତିବାଦ; ଆଦେଶ ପ୍ରତ୍ୟାହାର କଲେ ସରକାର, ବାଧ୍ୟତାମୂଳକ ନୁହେଁ ସଞ୍ଚାର ସାଥୀ ଆପ୍
ନୂଆଦିଲ୍ଲୀ,୩|୧୨: ଶେଷରେ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସରକାର ତାଙ୍କ ଆଦେଶ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି | ସଞ୍ଚାର ସାଥୀ ଆପକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ ପରେ ସରକାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି | ପୂର୍ବରୁ ସରକାର ଏହି ଆପକୁ ଫୋନରେ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ନେଇଥିଲେ ଏବେ କିନ୍ତୁ ପୂର୍ବ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ଆପକୁ ପ୍ରତି ମୋବାଇଲରେ ଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବିରୋଧୀଦଳମାନେ ଏହାକୁ ବିରୋଧ କରିବା ପରେ ସରକାର ବାଧ୍ୟ ହୋଇ ଏହି ଆଦେଶକୁ ପ୍ରତ୍ୟାହାର କରିଛନ୍ତି ।
ସାଇବର ଠକାମୀରୁ ସାଧାରଣ ଲୋକ କିପରି ରକ୍ଷା ପାଇ ପାରିବେ ତାକୁ ଆଖି ଆଗରେ ରଖି ସରକାର ଏହି ଆପକୁ ଇନଷ୍ଟଲ କରିବାର ନିଷ୍ପତ୍ତି ନେଇଥିଲେ | ଗତ ଗୋଟିଏ ଦିନ ମଧ୍ୟରେ ୬ ଲକ୍ଷ ଲୋକ ଏହି ଆପକୁ ଡାଉନଲୋଡ କରିବାକୁ ପଞ୍ଜିକରଣ କରିଥିଲେ । ଏହା ପୂର୍ବରୁ ୧.୪ କୋଟି ଲୋକ ଏହି ଆପକୁ ଡାଉନଲୋଡ କରିସାରିଥିବାର ସୂଚନା ରହିଛି । ଏହାଫଳରେ ଦୈନିକ ୨ ହଜାର ସାଇବର ଠକାମୀର ସୂଚନା ମିଳୁଥିଲା । ହେଲେ ବିପକ୍ଷ ଦଳ କଂଗ୍ରେସ ପକ୍ଷରୁ ରାଜ୍ୟସଭାରେ ଏହି ଆପକୁ ନେଇ ସାଂଘାତିକ ଅଭିଯୋଗ ଆଣିଥିଲା । ଦଳର ସାଂସଦମାନେ କହିଥିଲେ କି, ସରକାର ପେଗାସସ ଭଳି ଏହି ଆପ୍ ମାଧ୍ୟମରେ ପ୍ରତିଟି ନାଗରିକଙ୍କ ଗୋପନ ତଥ୍ୟ ଜାଣିବାକୁ ଷଡଯନ୍ତ୍ର ରଚୁଛନ୍ତି ।
ରାଜ୍ୟସଭାର ଶୂନ୍ୟକାଳରେ କଂଗ୍ରେସ ନେତା ରଣଦୀପ ସୁରଜୱାଲା କହିଥିଲେ ଯେ, ଏହି ଆପର କିଛି ବିଶେଷତାକୁ ନେଇ ନାନା ସନ୍ଦେହ ସୃଷ୍ଟି ହେଉଛି । ଏଥିରେ ପ୍ରତି ବ୍ୟବହାରକାରୀଙ୍କ ବାସ୍ତବିକ ସମୟର ଲୋକେଶନ, ସର୍ଚ୍ଚ ହିଷ୍ଟ୍ରି, ଆର୍ଥିକ କାରବାର, ଅପ୍ ଲାଇନ ମେସେଜ, ହ୍ୱାଟସଆପ ମେସେଜ ଉପରେ ସରକାର ନଜର ରଖିବାକୁ ଚେଷ୍ଟା କରୁଛନ୍ତି ।
ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସରକାର ନିର୍ଦେଶାବଳୀ ଜାରି କରିଥିଲେ କି, ସମସ୍ତ ମୋବାଇଲ ଫୋନ ବିକ୍ରେତା ଭାରତରେ ବିକ୍ରି କରୁଥିବା ଆଣ୍ଟ୍ରଏଡ୍ ମୋବାଇଲ ସହ ପୁରୁଣା ଉପକରଣରେ ବି ସଫ୍ଟୱେୟାର ଅପଡେଟ୍ ମାଧ୍ୟମରେ ସଂଚାର ସାଥୀ ଆପକୁ ପ୍ରି ଇନଷ୍ଟଲ କରିବା ବାଧ୍ୟତାମୂଳକ । ଆଦେଶରେ ଏହା ବି କୁହାଯାଇଥିଲା କି, ମୋବାଇଲ ଫୋନ କମ୍ପାନିମାନେ ସୁନିଶ୍ଚିନ୍ତ କରନ୍ତୁ ଯେ, ପ୍ରି ଇନଷ୍ଟଲ ସଂଚାର ସାଥୀ ଆପ୍ ପ୍ରଥମଥର ଉପଯୋଗ କରୁଛନ୍ତି କିମ୍ବା ସେଟଅପ୍ ସମୟରେ ଉପଯୋଗକର୍ତ୍ତାଙ୍କ ପାଇଁ ଇନଷ୍ଟଲ କରିଛନ୍ତି । ଏହି ନ୍ୟୁ ଆପ୍ କୁ କାର୍ଯ୍ୟକାରୀ କରିବା ପାଇଁ ଆପଲ୍, ସାମସଙ୍ଗ, ଭିଭୋ, ଓପୋ ଏବଂ ଶାଓମି ଭଳି ମୋବାଇଲ୍ କମ୍ପାନୀଗୁଡ଼ିକୁ ୯୦ ଦିନ ସମୟ ସୀମା ମଧ୍ୟ ଦିଆଯାଇଥିଲା। ଯାହାକୁ ୧୭ ଜାନୁଆରୀ, ୨୦୨୫ରେ ଲଞ୍ଚ୍ କରାଯାଇଥିଲା ।
ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ସଂଚାର ସାଥୀ ଆପ୍ ମାଧ୍ୟମରେ ନା ଗୁଇନ୍ଦାଗିରି କରିବା ସମ୍ଭବ ଥିଲା, ନା ଆଗକୁ ହୋଇପାରିବ ବୋଲି ଲୋକସଭାରେ ବିରୋଧୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏକଥା କହିଛନ୍ତି ।

