କୋଇଲିଘୁଘର ମାର୍ଗଶୀର ମେଳା ଓ ଆତ୍ମଗୀତା ଜୟନ୍ତୀ ଉଦଯାପିତ
ଝାରସୁଗୁଡା ୭/୧୨ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ କ୍ଷେତ୍ର କୋଇଲିଘୁଘର ଶାନ୍ତିକୁଟୀର ଆଶ୍ରମରେ ନଭେମ୍ବର ୩୦ ତାରିଖ ରବିବାର ଠାରୁ ଆରମ୍ଭ ହୋଇ ଥିବା ୭୯ ତମ ଶ୍ରୀମଦ ଆତ୍ମଗୀତା ଜୟନ୍ତୀ ମହୋତ୍ସବ ତଥା ମାର୍ଗଶୀର ମେଳା ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି।
ମାର୍ଗଶିର ଶୁକ୍ଳପକ୍ଷ ଦଶମୀ ତିଥି ରବିବାର ସନ୍ଧ୍ୟାରେ କଳସ ଯାତ୍ରା, ଘଟପୂଜା ପୂର୍ବକ ଯଜ୍ଞ ଅଧିବାସ ଅନୁଷ୍ଠିତ ହୋଇଥିଲା | ସୋମବାର ସକାଳେ ଶ୍ରୀମଦ ଆତ୍ମଗୀତା ଓ ଶ୍ରୀଗୁରୁ ଭଗବାନ ସୋହମସ୍ୱାମୀଙ୍କ ଷୋଡ଼ଶ ପୂଜା, ଆତ୍ମଧର୍ମର ସଂସ୍କୃତି ଓ ପରମ୍ପରା ମତେ ଯଥା ବିଧି ସମାପନ ହୋଇଥିଲା । ଏହି ପରିପେକ୍ଷିରେ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଅହୋରାତ୍ର ତିନିଦିନ ବ୍ୟାପି ଶ୍ରୀମଦ ଆତ୍ମଗୀତା ଗ୍ରନ୍ଥ ପଠନ ଓ ହବନ ଆଦି କାର୍ଯ୍ୟ ହୋଇଥିବା ବେଳେ ଗୁରୁବାର ପବିତ୍ର ମାର୍ଗଶୀର ପୂର୍ଣ୍ଣିମା ଦିନ ଶ୍ରୀଗୁରୁ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଶୁକ୍ରବାର ପୂର୍ବାହ୍ନରେ ପୂର୍ଣ୍ଣାହୁତି ଓ ନଗର ପରିକ୍ରମା ସହ ସମ୍ପନ୍ନ ହୋଇଥିଲା। ଉକ୍ତ ନାମଯଜ୍ଞରେ ପଲସଦା (ମଝିଆପଡା),ରୋହିଣୀ, ଛୁଇଖାଞ୍ଚ, ମଚିଦା, ରେଙ୍ଗାଲି, ଅତାବିରା,ନାଚନମୁରା,ବିଶାଳଖିଣ୍ଡା,ସର୍କଣ୍ଡା,ବରାହମୁଣ୍ଡା,ଅମ୍ବାପାଲି (ବରଗଡ), ଭଗାନଈ(କେନ୍ଦୁଝର), ସିହା, ଯୋବ୍ରୋ ଓ ନେତନଗର (ଛ. ଗ) ର ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରି ନଗର ଭ୍ରମଣ (ରୋହିଣୀ ) କରିଥିଲେ ।
ଏହି ଅବସରରେ ପ୍ରତ୍ୟେକ ଦିନ ବିଶିଷ୍ଟ ସାଧୁ ସନ୍ଥ, ପ୍ରବଚକ, ଭଜନ କଳାକାରଙ୍କ ଦ୍ୱାରା ଭଜନ, ପ୍ରବଚନ ଓ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଧୁ ସନ୍ଥ ଓ ପ୍ରବଚକ ଗଣ ଶ୍ରୀ ଗୁରୁଦେବଙ୍କ ଲୀଳା ମାଧୁର୍ଯ୍ୟ, ପବିତ୍ର ଆତ୍ମଗୀତା ମାହାତ୍ମ୍ୟ, କୋଇଲିଘୁଘରର ପବିତ୍ରତା ଓ ମହନୀୟତା ବିଷୟରେ ଆଲୋଚନା କରିଥିଲେ।
ଉକ୍ତ ସମାରୋହରେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ, ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ, ବିଡିଓ ବିନୟ ପଟେଲ,ବେଲପାହାଡ଼ ରେଞ୍ଜର ପ୍ରଦୀପ ନାଏକ, ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ଓ ସ୍ଥାନୀୟ ଜନ ପ୍ରତିନିଧି ଯୋଗଦାନ କରି ଅନୁଷ୍ଠାନର ଉନ୍ନୟନ ସମ୍ବନ୍ଧରେ ଆଲୋଚନା କରିବା ସହ ଉତ୍ସାହିତ କରିଥିଲେ ।
ସାଧୁସନ୍ଥଙ୍କ ମଧ୍ୟରେ ଅଦ୍ୱୈତାନନ୍ଦ ସ୍ୱାମୀ,ପ୍ରେମାନନ୍ଦ ସ୍ୱାମୀ, ଆନନ୍ଦାନନ୍ଦ ସ୍ୱାମୀ, ପ୍ରଣବାନନ୍ଦ ସ୍ୱାମୀ, ପ୍ରଜ୍ଞାନନ୍ଦ ସ୍ୱାମୀ, ଯୋଗାନନ୍ଦ ସ୍ୱାମୀ ପ୍ରମୁଖ ଧର୍ମଲୋଚନା ଓ ଯଜ୍ଞାନୁଷ୍ଠାରେ ଅଂଶ ଗ୍ରହଣ କରିଥିଲେ ।
କୋଇଲିଘୁଘର ଶାନ୍ତିକୁଟୀର ପରିଚାଳନା କମିଟି,ଆତ୍ମଧର୍ମ ମହାସଙ୍ଘ, ବିକାଶ ପରିଷଦ କମିଟି ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ପୂଜାରୀ ପଧାନ, କୁଞ୍ଜ ବିହାରୀ ବାରିକ, ମୀନକେତନ ପଧାନ, ଜନାର୍ଦ୍ଦନ ପଧାନ,କ୍ଷମାଶୀଳ ଭୋଇ, ନେପାଳ ଭୋଇ, ସମ୍ପତ୍ତି ପଧାନ, ସଂକୀର୍ତ୍ତନ ପଟୁଆ, ଯୁଧିଷ୍ଠିର ମହାପାତ୍ର, ସରୋଜ ସା, ଗୋବର୍ଦ୍ଧନ ବିଶ୍ୱାଳ, ଉଗ୍ରେସନ ଖମାରୀ,ତୁଷାରାମ ପଧାନ, ନିର୍ମଳ ପଧାନ, ମହେନ୍ଦ୍ର କୁମାର ସାଏ, ଗୌରୀ ଶଙ୍କର ବିଶି ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ । ଏହି ଆଧ୍ୟାତ୍ମିକ ମହୋତ୍ସବରେ ରାଜ୍ୟ ତଥା ପଡ଼ୋଶୀ ଛତିଶଗଡ ରାଜ୍ୟର ଶ୍ରଦ୍ଧାଳୁଗଣ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ | ପ୍ରତିଦିନ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରା ଯାଇଥିଲା ।

