ବିଜେଡିର ନୂଆ ରଣନୀତି; ସୋସିଆଲ ମିଡିଆରେ ଆକ୍ଟିଭ ରହି ବିଧାନସଭାରେ ଆବସେଣ୍ଟ ରହୁଛନ୍ତି ନବୀନ
ଭୁବନେଶ୍ୱର;୮|୧୨: ବିଧାନସଭାରେ ଯୋଗ ଦେଉନାହାନ୍ତି ନବୀନ| ଏବେ ହାଉସରେ ଆବସେଣ୍ଟ ରହି ସୋସିଆଲ ମିିଡିଆରେ ଆକ୍ଟିଭ ରହୁଛନ୍ତି ନବୀନ | ଗୋଟେ ସପ୍ତାହ ହେବ ନବୀନ ବିଧାନସଭା ଆସିନାହାନ୍ତି | ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି, କଂଗ୍ରେସ । ଏହାର ଉତ୍ତରରେ ନବୀନ କହିଛନ୍ତି ଯେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ବିଧାନସଭାରେ ଉପସ୍ଥିତ ରହିପାରୁନାହାନ୍ତି| ଏହି କଥା କହି ଏହି ପ୍ରସଙ୍ଗରୁ ଓହରି ଯାଇଛନ୍ତି ନବୀନ। ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଶ୍ନକାଳ ସବୁ ସୁରୁଖୁରୁରେ ଚାଲୁଛି । ଶୂନ୍ୟକାଳ, ମୂଲତବି ପ୍ରସ୍ତାବ ସହ ଅତିରିକ୍ତ ବଜେଟ ଖର୍ଚ୍ଚ ଦାବି ଆଲୋଚନା ବି ସରଗରମ ହେଉଛି। ହେଲେ ଗୃହରେ ଦେଖା ଯାଉ ନାହାନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗତ ୯ଦିନର ଗୃହ କାର୍ଯ୍ୟ ଭିତରେ କେବଳ ରାଷ୍ଟ୍ରପତି ଆସିଥିବା ଦିନ ହିଁ ବିଧାନସଭାକୁ ଆସିଥିଲେ ନବୀନ।
ନୂଆପଡା ଉପନିର୍ବାଚନ ସମୟରେ ନବୀନ ଦୁଇ ଦୁଇ ଥର ନୂଆପଡାକୁ ଯାଇ ପ୍ରଚାର କରିଥିଲେ | ପୁଣି ଚଳିତ ବିଧାନସଭା ଅଧିବେଶନ ଚାଲୁଥିବା ଭିତରେ ହିଁ ନବୀନ ନିବାସରେ ବିଭିନ୍ନ ଲୋକଙ୍କୁ ଭେଟୁଛନ୍ତି । ଭଦ୍ରକରେ ବିଜେଡି ଦୁର୍ବଳ ହେବା ପରେ ନେତାଙ୍କୁ ଡାକି ସଂଗଠନ ନେଇ ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ । ଅନ୍ୟପଟେ ଅତିରିକ୍ତ ବଜେଟ ଓ ANM ପରୀକ୍ଷା ବାତିଲ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସରକାରକୁ ବି ଘେରିଥିଲେ । ହେଲେ ଗୃହ ଭିତରେ ଏ ପ୍ରସଙ୍ଗ ନ ଉଠାଇବା ଯୋଗୁଁ ତାକୁ ନେଇ ଉଠିଛି ଏକ ବଡ଼ ପ୍ରଶ୍ନ ।
ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବରେ ଠିଆ ହୋଇଛି ବିଜେଡି । ହେଲେ ବିଗତ ଦୁଇ ଦୁଇଟି ବିଧାନସଭା ଅଧିବେଶନରେ ମାତ୍ର ୧୪ ବିଧାୟକ ଥାଇ ବି ବିରୋଧୀ ଦଳ ପଦବୀକୁ ଯେମିତି କଂଗ୍ରେସ ମାଡିବସି ରଖିଲା ପରି ମନେ ହେଉଛି। କିନ୍ତୁ ବଡ଼ ସଂଖ୍ୟା ଥାଇ ବି ନବୀନଙ୍କ ଅନୁପସ୍ଥିତି ବିଧାନସଭାରେ ବିଜେଡି ସ୍ୱରକୁ ଦୁର୍ବଳ କରୁଥିବାର ଚର୍ଚ୍ଚା ହେଉଛି ।

